“ଶିଶୁ ପାଇଁ ଦିନଟିଏ”ର ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ


କେନ୍ଦ୍ରାପଡ଼ା : ଶିଶୁ ହସିଲେ ଦେଶ ହସିବ । ତେଣୁ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଏକ ତ୍ରୈମାସିକ ସମୀକ୍ଷା ବୈଠକ ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ପାଇଁ ଦିନଟିଏର ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ ସମସ୍ତ ବିଭାଗର ସମନ୍ୱୟ ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁମିତ୍ର ଗ୍ରାମ ପଂଚାୟତ ଗଠନ ତଥା ବାଲ୍ୟ ବିବାହମୁକ୍ତ ଗାଁ ଗଠନ ଦିଗରେ ନିଷ୍ଠାପର ଉଦ୍ୟମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କୋଭିଡ୍ ସମୟରେ ଚିହ୍ନଟ ହୋଇଥିବା ସମସ୍ତ ଯତ୍ନ ଏବଂ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କର ଉପଯୁକ୍ତ ବିକାଶ ଦିଗରେ କାର୍ଯ୍ୟକରିବା ପାଇଁ ତଥା ସେମାନଙ୍କୁ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ସାମିଲ କରିବା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁ ଶ୍ରମିକ ଆଇନ ଉଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ବେଟି ବଚାଓ ବେଟି ପଢ଼ାଓଟାକ୍ସ ଫୋର୍ସ ଅଧିନରେ ଆସନ୍ତା ନଭେମ୍ବର ମାସରେ ମିସନ ମୋଡ୍‌ରେ ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ, ହାଇ ସ୍କୁଲ୍ ଏବଂ କଲେଜ୍ ପରିସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ସ୍ଥିର କରାଯାଇଛି । ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ ଅନୁସାରେ ଜିଲ୍ଲାରେ ପୁଅ-ଝିଅ ଅନୁପାତ ତୁଳନାତ୍ମକଭାବେ ହ୍ରାସ ପାଉଥିବାରୁ ଗ୍ରାମାଂଚଳରେ ଅଧିକ ସଚେତନତା ସୃଷ୍ଟି ପାଇଁ ଆଲୋଚନା ହୋଇଥିଲା । କେବଳ ସମୀକ୍ଷା ବୈଠକ ମଧ୍ୟରେ ସୀମିତ ନରହି ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ପାଇଁ ଉଦ୍ୟମ ହେଲେ ସମସ୍ତ ଯୋଜନାର ଉଦ୍ଦେଶ୍ୟ ଫଳପ୍ରଦ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବିଜୁ କନ୍ୟା ରତ୍ନ ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ସାମିଲ ହୋଇଥିବା ବେଳେ ଜିଲ୍ଲାରେ ଶିଶୁକନ୍ୟାମାନଙ୍କ ସୁରକ୍ଷା ଓ ବିକାଶ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତି ହୋଇଛି । ବିଭିନ୍ନ ସମୟରେ ପ୍ରେମଜନିତ ନାବାଳକ/ନାବାଳିକାଙ୍କ ସଂପୃକ୍ତିରେ ପିତାମାତାଙ୍କ ଭୂମିକା ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଏ ଦିଗରେ ଥାନାରେ ହେଉଥିବା ଅଭିଯୋଗ ଆଧାରରେ ଶିଶୁମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ଼ର ସହଯୋଗ କାମନା ତଥା ସମସ୍ତ ନାଗରିକଙ୍କ ସହଯୋଗ କାମନା କହିଥିଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ । ଏହି ବୈଠକରେ ଡେରାବିଶ ବ୍ଲକ୍‌ର ଚେୟାରମ୍ୟାନ୍ ପ୍ରଭାତୀ ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଜିଲ୍ଲା ଶ୍ରମ ଅଧିକାରୀ ଅଶୋକ କୁମାର ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ଜେଜେ ବୋର୍ଡ଼ର ଅଧ୍ୟକ୍ଷ, ସମସ୍ତ ବ୍ଲକ୍‌ର ସିଡିପିଓ, ବିଭିନ୍ନ ଏଜିଓର କର୍ମକର୍ତା, ଶିଶୁ ପାଇଁ ଦିନଟିଏ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ସଂଯୋଜିକା (କୈଶୋର ସଶକ୍ତିକରଣ) ସୁଶ୍ରୀ ଅମିତା ସିଂହ ।


Next Post

ଗୁମର ଖୋଲିଲା ଆରଟିଆଇ ତଥ୍ୟ , ଉଠାଦୋକାନୀଙ୍କୁ କୋଭିଡ ସହାୟତା ପ୍ରଦାନରେ ହେରେଫେର

Thu Oct 26 , 2023
କେନ୍ଦ୍ରାପଡା :କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ଓ ଜୀବିକା ହରାଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେଥିନେଇ ସରକାରଙ୍କ ପକ୍ଷରୁ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଯାଇ ଜନ ସାଧାରଣଙ୍କୁ ସହଯୋଗର ହାତ ବଢାଇଥିଲେ । କରୋନା ଲକଡାଉନ-ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାରୁ ରାଜ୍ୟ ସରକାର ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଘୋଷଣା କରିଥିଲେ । ଏହି କ୍ରମରେ […]

KANIKA