ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ , ସହାୟତା ପାଇଁ ପତ୍ନୀଙ୍କ ଜିଲ୍ଲାପାଳଙ୍କୁ ନିବେଦନ


କେନ୍ଦ୍ରାପଡ଼ା : ବିପଦସଙ୍କୁଳ ଅବସ୍ଥାରେ ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ସହାୟତା ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କାଙ୍କଦିଆ ଗ୍ରାମର ସ୍ୱର୍ଗତ ମୀନକେତନ ମଳିକଙ୍କ ପତ୍ନୀ ବେବିନା ମଳିକ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତାଙ୍କ ସ୍ୱାମୀ ସ୍ୱର୍ଗତ ମୀନକେତନ ମଳିକ ଏକ ଟାଟା ମ୍ୟାଜିକ ଗାଡିରେ ଚାଳକ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତମାସ ୧୨ତାରିଖରେ ତାଙ୍କ ସ୍ୱାମୀ କହ୍ନେଇପୁର ଗ୍ରାମ ଭିତରେ ଟାଟା ମ୍ୟାଜିକ ଗାଡିରୁ ପାଇପ ଅନଲୋଡ କରୁଥିବା ବେଳେ ବହୁତ କମ ଉଚତାରେ ଟଣା ହୋଇଥିବା ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ବିଦ୍ୟୁତ ବିଭାଗର ଏଭଳି ବେଆଇନ ତଥା ଅସୁରକ୍ଷିତ କାର୍ଯ୍ୟ ପାଇଁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରିବାରରେ ୮୧ବର୍ଷର ବୃଦ୍ଧ ଶଶୁର ପୁଅର ମୃତ୍ୟୁ ପରେ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ତାଙ୍କର ଏକ ୪ବର୍ଷର ଝିଅ ଅନାଥ ହୋଇପଡିଛି । ଏଥିସହିତ ସେ ୮ମାସର ଗର୍ଭବତୀ ଥିବା ଜଣାଇଛନ୍ତି । ସେ ଜଣେ ଦଳିତ ବର୍ଗର ମହିଳା ହୋଇଥିବା ବେଳେ ତାଙ୍କ ପରିବାରର ଭରଣପୋଷଣ ନିମନ୍ତେ ବିଦ୍ୟୁତ ବିଭାଗ ଟିପିସିଓଡିଏଲ ତାଙ୍କୁ ଅନ୍ୟୁନ୍ୟ ୩୫ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରୁ ବୋଲି ମୃତ ମୀନକେତନଙ୍କ ବିଧବା ପତ୍ନୀ ବେବିନା ମଳିକ ଦାବି କରିଛନ୍ତି । ଏହାବ୍ୟତିତ ତାଙ୍କୁ ୧୫ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯିବାକୁ ବେବିନା ନିବେଦନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading