
କେନ୍ଦ୍ରାପଡ଼ା, ୩୧ା୧୦ : ସାରା ଭାରତର କୋଣ ଓ ଅନୁକୋଣରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉତ୍ସବକୁ ‘ରାଷ୍ଟ୍ରୀୟ ଏକତା ଦିବସ” ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ଶପଥ ପାଠରେ ଡେପୁଟି କଲେକ୍ଟର ଶିବାଶିଷ ପରିଡା ଅଧ୍ୟକ୍ଷତା କରିଥିଲେ ଓ ସ୍ୱାଧୀନ ଭାରତର ଏକତା ଓ ଅଖଣ୍ଡତା ନିମନ୍ତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ କାର୍ଯ୍ୟଶୈଳୀର ସ୍ମୃତି ଚାରଣ କରିବା ସହ ତାଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା କାର୍ଯ୍ୟାଳୟର ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ ରହିବା ସହ ଏକତା ଅକ୍ଷୁର୍ଣ ରଖିବା ଭାବନାର ବାର୍ତ୍ତା ପ୍ରିୟ ଦେଶବାସୀଙ୍କ ମଧ୍ୟରେ ପ୍ରସାରିତ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମ୍ପୂର୍ଣ ଯୋଗଦାନ ପାଇଁ ସତ୍ୟନିଷ୍ଠା ସହ କାର୍ଯ୍ୟ କରିବାକୁ ସମସ୍ତେ ଶପଥ ନେଇଥିଲେ । ଏହି ଶପଥ ପାଠ ଉତ୍ସବରେ ଆଞ୍ଚଳିକ ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ର ଶେଖର ମହାରଣା, ଡେପୁଟି କଲେକ୍ଟର (ଜରୁରୀ କାଳୀନ ବିଭାଗ) ଜୟନ୍ତ କୁମାର ରାଉତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅମ୍ବରୀଶ ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସହକାରୀ ଅଗ୍ନିଶମ ଅଧିକାରୀ ନରେନ କୁମାର ମହାନ୍ତି ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।











