
କେନ୍ଦ୍ରାପଡାର ସୁପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବରପୁତ୍ର ଚିର ସବୁଜ ଅକ୍ଷୟ ମହାନ୍ତି ସଙ୍ଗୀତ ସନ୍ଧ୍ୟାରେ ବନ୍ଧୁ ମିଳନ ଏକ ନିଆରା କାର୍ଯ୍ୟକ୍ରମ ଥିଲା । ଗତକାଲି ସନ୍ଧ୍ୟାରେ ଯୁବ ସମାଜସେବୀ ଶୁଭଙ୍କର ନାୟକଙ୍କ ଦ୍ୱାରା ଆୟୋଜିତ ଗରାପୁରସ୍ଥିତ ସ୍ୱୟଂ ସିଦ୍ଧା କଣ୍ଟିନେଣ୍ଟାଲ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ପରିବେଷିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଅକ୍ଷୟଙ୍କ କନିଷ୍ଠ ପୁତ୍ର ଚିତ୍ରଭାନୁ ମହାନ୍ତି ମୁଖ୍ୟ ଆକର୍ଷଣ ଥିଲେ । ସେ ଅକ୍ଷୟଙ୍କ କାଳଜୟୀ ସଂଗୀତ ହେ ଫଗୁଣ ତୁମେ, ରଜା ଝିଅ ସଙ୍ଗେ, ଲଚକମାଣୀ, ଯାଯାବର ଆଦି ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ବିଜୟ ଶୁକ୍ଳା ଦୁନିଆଁ ଜାଣେତ, ନଦୀର ନାମ ଅଳସ କନ୍ୟା, ଏମିତି ଏକ ବଗିଚାରେ ମୁଁ ଆଦି ଗୀତ ଗାଇ ଶ୍ରୋତାଙ୍କୁ ବିମୋହିତ କରିଦେଇଥିଲେ । ବିମଳ ପରିଡାଙ୍କ କଣ୍ଠରେ ପୁଣ୍ୟର ନଦୀ ତୀରେ, ହାରିଯାଇଥିବା ଲୋକର କି ଅଛି, ରଙ୍ଗ ଲତା ରୁଷିଛି ଏବଂ ନଦୀ ତୋର ଦେଇଥିଲି ନାଁ ପ୍ରଭୁତି ଗୀତ ଗୁଡିକ ସମବେତ ଦର୍ଶକଙ୍କୁ କିଛି କ୍ଷଣ ପାଇଁ ଅକ୍ଷୟଙ୍କ ଅମ୍ଳାନ ସ୍ମୃତିରେ ବିଭୋର କରିଥିଲେ । ସୌଭାଗିନୀ ମହାପାତ୍ର ନିଦ ମାଉସୀ, ନିଦ ଏକ ଫୁଲ ବନ ଏବଂ ତୁମେ ହିଁ ସ୍ୱର୍ଗ ମୋରଗୀତ ଗାଇଥିଲେ । ରୂପାଲ ିସୂତାର, ନମିତା ସ୍ୱାଇଁ, ଅର୍ଚ୍ଚନା ପରିଡା ଏବଂ ରାଜଲକ୍ଷ୍ମୀ ପରିଡା ରଶ୍ମୀତା ସୂତାର, ଦୀପା ପରିଡା ଅକ୍ଷୟ ସ୍ମୃତି ସଂଗୀତ ଗାଇଥିଲେ । ପ୍ରଫେସର ନନ୍ଦ କିଶୋର ପରିଡା, ପଣ୍ଡିତ ହୃଷୀକେଶ ରଥ, କବି ଡଃ.ଅପର୍ଣ୍ଣା ମହାନ୍ତି, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଫେସର ଅଜୟ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଅକ୍ଷୟ ସନ୍ଧ୍ୟାର ଉଦ୍ଘାଟନ କରିଥିଲେ । କଳାକାରମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜକ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।

