
ସରକାର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଅବହେଳା କାରଣରୁ ଛାତ୍ର ଛାତ୍ରୀଙ୍କ ଦୁଃଖ ସରୁନାହିଁ । ଏବେବି କୋମଳ ମତି ଶିଶୁ ମାନେ ମଧ୍ୟାହ୍ନ ଭୋଜନ ପରେ ପୋଖରୀକୁ ଧାଉଁ ଥିବାର ଚିତ୍ର ଆସିଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧୀନସ୍ଥ ଶ୍ରୀରାମପୁର ପଞ୍ଚାୟତର ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ବିଦ୍ୟାଳୟ ପରିସର ରେ ଗୋଟିଏ ନଳକୂପ ଥିଲା ଯାହାର ଜଳକୁ ପାନୀୟଜଳ ଏବଂ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ବ୍ୟବହାର କରା ଯାଉଥିଲା । କିନ୍ତୁ ନଳକୁପଟି ହଠାତ ଖରାପ ହୋଇ ଯାଇଥିବାରୁ ପିଲାମାନେ ପିଇବା ପାଣି ପାଇଁ ହନ୍ତ ସନ୍ତ ହେଉଛନ୍ତି । ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ମୁହଁ ଏଵଂ ଖାଇବା ବାସନ ଧୋଇବା ପାଇଁ ବିଦ୍ୟାଳୟ ଠାରୁ କିଛି ଦୂରରେ ଥିବା ଗ୍ରାମ ପୋଖରୀ ଉପରେ ନିର୍ଭର କରୁଛନ୍ତି । ଯାହାକି ଅତ୍ୟନ୍ତ ଗଭୀର ହୋଇଥିବାରୁ କେତେବେଳେବି କିଛି ଅଘଟଣ ଘଟିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାର ଭୟ ରହିଛି । ଏହି ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ସେଠୀଙ୍କୁ ପଚାରିବାରୁ ସିଏ ଘଟଣା ବିଷୟ ରେ ଶ୍ରୀରାମ ପୁର ପଞ୍ଚାୟତ ର ସରପଞ୍ଚ ସସ୍ମିତା ସେଠୀଙ୍କୁ ଫୋନ୍ ଯୋଗେ ଜଣାଇଛନ୍ତି କିନ୍ତୁ ସରପଞ୍ଚ ମରାମତି ପାଇଁ କାରୀଗର ପଠାଇବେ ବୋଲି କହି ଆଉ ଫୋନ ଉଠାଉ ନାହାନ୍ତି ବୋଲି କହିଛନ୍ତି। ଯାହାକି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏଣୁ ଯଥା ଶୀଘ୍ର ନଳକୂପର ମରାମତି କରିବାକୁ ଅଭିଭାବକମାନେ ଏବଂ ବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଛି ।











