ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ , ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ- ଅତିରିକ୍ତ ଜିଲ୍ଲାପାଳ


କେନ୍ଦ୍ରାପଡ଼ା, ୧୬ା୧୧ : ଗଣମାଧ୍ୟମ ସମାଜର ଦର୍ପଣ । ଯେଉଁଠି ପ୍ରତଫଳିତ, ପ୍ରତିଧ୍ୱନିତ ଓ ପ୍ରତିବିମ୍ବିତ ହୁଏ ସମାଜର ପ୍ରକୃତ ରୂପ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଷ୍ଠାର ସହ ଦାୟିତ୍ୱ ସମ୍ପନ୍ନ କଲେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ ବୋଲି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର । ଚଳିତ ବର୍ଷର ବିଷୟବସ୍ତୁ “କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ” ଉପରେ ଏକ ଚୁମ୍ବକୀୟ ଆଲୋକପାତ କରିଥିଲେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ । ଜିଲ୍ଲାରେ ଘଟୁଥିବା ପ୍ରତ୍ୟେକଟି ଖବର ପ୍ରଶାସନ ନିକଟରେ ପହଂଚାଉଥିବାରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେ ଏହି ଅବସରରେ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ରୂପେ ପରିଚିତ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଓ ପ୍ରସାରିତ ସମ୍ବାଦ ଶାସନ ବ୍ୟବସ୍ଥାର ନୀତି, କାର୍ଯ୍ୟଶୈଳୀ ଓ ସଫଳ ରୂପାୟନର ସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥାଏ । ଫଳରେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ରର ଚରିତ୍ରଗଠନ ତଥା ସଂଶୋଧନ ନିମନ୍ତେ ଗଣମାଧ୍ୟମର ଭୂମିକା ଅନସ୍ୱିକାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ପ୍ରଭାସ ଚନ୍ଦ୍ର ଦାସ । ପରୀକ୍ଷିତ ପାତ୍ର, ରବି ନାରାୟଣ ପତି, ଆଶିଷ ସେନାପତି, ପରେଶ ଚନ୍ଦ୍ର ଦାସ, ଜଗନ୍ନାଥ ଧଳ, ଚିତ୍ତରଞ୍ଜନ ଦାସ,ମାତୃଦତ୍ତ ମହାନ୍ତି, ନିହାର ରଞ୍ଜନ ସାହୁ, ମନୋଜ ସ୍ୱାଇଁ, ସନ୍ତୋଷ ପଣ୍ଡା, ଶିବାଶିଷ ମହାନ୍ତି, ପ୍ରଭାତ ଲେଙ୍କା, ହିମାଂଶୁ ଶେଖର ନାୟକ, ସ୍ୱପ୍ନାଶ୍ରୀ ପଣ୍ଡା, ନମିତା ନାୟକ ପ୍ରମୂଖ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏହି ଅବସରରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭିକ ସୂଚନା ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।   

 


Discover more from

Subscribe now to keep reading and get access to the full archive.

Continue reading