କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତିର ନାଟକୀୟ ମୋଡ ୩ ବରିଷ୍ଠଙ୍କୁ ଛାଡି ପରିଚାଳନା ପରିଷଦ ଅନୁମୋଦନ ବିନା ୪ର୍ଥ ଜଣଙ୍କୁ ଅଧ୍ୟକ୍ଷ ଦାୟୀତ୍ୱ



କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ନାଟକୀୟ ମୋଡ ନେଇଛି । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଜିର ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କଲେଜର ବିଦାୟୀ ଅଧ୍ୟକ୍ଷ ଗୋପାଳ ବେହେରା ଅପରାହ୍ନରେ ଏକ ଟେଲିଫୋନ ବାର୍ତ୍ତାରେ ମୈାଖିକ ନିର୍ଦେଶ ବଳରେ ୩ଜଣ ବରିଷ୍ଠ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ଉପେକ୍ଷା କରି ୪ର୍ଥ ସ୍ଥାନରେ ଥିବା ଗଣିତ ବିଭାଗ ଅଧ୍ୟାପକ ଅଶୋକ କୁମାର ଦାସଙ୍କୁ କଲେଜ ଅଧ୍ୟକ୍ଷ ଦାୟୀତ୍ୱ ବେଆଇନ ଭାବେ ସମର୍ପି ଦେଇଥିବା ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଆଜି କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବେହେରା ଅବସରଗ୍ରହଣ କରୁଥିବାରୁ କଲେଜ ଅର୍ଥନୀତି ବିଭାଗ ରିଡର ଡଃ. ଜ୍ଞାନୀନ୍ଦ୍ର ଦାଶଙ୍କୁ କଲେଜର ଅଧ୍ୟକ୍ଷ ତଥା ସମ୍ପାଦକ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ତା ୯.୧୧.୨୦୨୩ରିଖରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତିଙ୍କ ସୁପାରିଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥିଲା । ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦେଶନାମାକୁ ମହାବିଦ୍ୟାଳୟ ଗଣିତ ବିଭାଗ ମୁଖ୍ୟ ଅଶୋକ କୁମାର ମିଶ୍ର ଚ୍ୟାଲେଞ୍ଜ କରି ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନଂ- ୩୮୩୯୧/୨୦୨୩ରେ ଏକ ରିଟ ପିଟିସନ ଦାୟର କରିଥିଲେ । ସେହି ରିଟପିଟିସନରେ ଆବେଦନକାରୀ ରିଡର ଶ୍ରୀ ମିଶ୍ର ଦର୍ଶାଇଥିଲେ ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ଡଃ. ଜ୍ଞାନୀନ୍ଦ୍ର ଦାଶ ନିକିରାଇସ୍ଥିତ ବୀର ହନୁମାନଜୀଉ +୨ମହାବିଦ୍ୟାଳୟରୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ବଦଳି ହୋଇ ଆସିଥିବାରୁ ତାଙ୍କୁ କେନ୍ଦ୍ରାପଡା +୩ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯିବା ବେଆଇନ । ପୂର୍ବରୁ ଅନ୍ୟ ଏକ ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ନିର୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମା ନଂ- ୩୩୦୪୭ ତା ୪.୮.୨୦୨୩ରିଖ ଅନୁଯାୟୀ ଏକ +୨ କଲେଜରେ ଚାକିରୀ ଆରମ୍ଭ କରିଥିବା ଜଣେ ଅଧ୍ୟାପକ ପରେ ବଦଳି ହୋଇ ଆସି ଏକ +୩ କଲେଜର ଅଧ୍ୟକ୍ଷ ହୋଇପାରିବେ ନାହିଁ । ସେହି ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ଅପରପକ୍ଷଙ୍କୁ ନୋଟିସ ଜାରି କରିବା ସହ ଆସନ୍ତା ଡିସେମ୍ବରମାସ ୭ତାରିଖ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗର ଅଧ୍ୟକ୍ଷ ନିଯୁକ୍ତି ଉପରେ ସ୍ଥଗିତାଦ୍ଦେଶ ଜାରି କରିଥିଲେ । ଅଧ୍ୟକ୍ଷ ଶ୍ରୀ ବେହେରା ଅବସର ଗ୍ରହଣ ପରେ କାହାକୁ ଦାୟୀତ୍ୱ ହସ୍ତାନ୍ତର କରିବେ ତାହା ଅମୀମାଂସୀତ ହୋଇ ରହିଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିବା ଉପରୋଲକ୍ତ ମାମଲାରେ ଆଡଭୋକେଟ ଜେନେରାଲଙ୍କୁ ପତ୍ର ସଂଖ୍ୟା -୫୨୪୩୭ ତା ୩୦.୧୧.୨୦୨୩ରିଖରେ ଏକ ପତ୍ର ଲେଖି ଜଣାଇଥରଲେ ଯେ ଯଦି କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷ ଭାବେ ଡଃ. ଜ୍ଞାନୀନ୍ଦ୍ର ଦାଶଙ୍କୁ ପ୍ରଦାନ କରାଯାଇଥିବା ନିଯୁକ୍ତି ଆଇନତଃ ସିଦ୍ଧ ନହୁଏ ତେବେ ଡଃ. ଦାଶଙ୍କୁ ଅନ୍ତତଃ ସାତ ଦିନ ପାଇଁ କଲେଜର ଅଧ୍ୟକ୍ଷ ଦାୟୀତ୍ୱ ପ୍ରଦାନ କରାଯିବାକୁ କୋର୍ଟରେ ନିବେଦନ କରିବାକୁ ଦର୍ଶାଯାଇଥିଲା । କିନ୍ତୁ ହାଇକୋର୍ଟ ସେହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହିତ ଉଭୟ ଆବେଦନକାରୀ ଗଣିତ ବିଭାଗର ରିଡର ଅଶୋକ ମିଶ୍ର ଏବଂ ରିଡର ଡଃ. ଜ୍ଞାନୀନ୍ଦ୍ର ଦାଶଙ୍କ ବଦଳରେ ତୃତୀୟ ଜଣଙ୍କୁ କଲେଜ ଅଧ୍ୟକ୍ଷ ଦାୟୀତ୍ୱ ପ୍ରଦାନ କରିବାକୁ ଆଜି ନିର୍ଦେଶ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ବରିଷ୍ଠତା ଭିତିରେ ଏହି ଦୁଇଜଣଙ୍କୁ ପରେ ପ୍ରଥମ ବରିଷ୍ଠ ହେଉଛନ୍ତି ପରିସଂଖ୍ୟାନ ବିଭାଗ ମୁଖ୍ୟ ମିନତୀପ୍ରଭା ଜେନା ଓ ତାଙ୍କ ତଳକୁ ସେହି ବିଭାଗର ଅଧ୍ୟାପିକା ପୂର୍ଣ୍ଣମାସୀ ପଣ୍ଡା । ତାଙ୍କ ପଛକୁ ବରିଷ୍ଠତା ଭିତିରେ ଥିଲେ ପଦାର୍ଥ ବିଜ୍ଞାନ ବିଭାଗର ରିଡର ବିଶ୍ୱରଞ୍ଜନ ପୁହାଣ । କିନ୍ତୁ ସମସ୍ତ ଆଇନକାନୁନକୁ ଜଳାଞ୍ଜଳି ଦେଇ ବରିଷ୍ଠତା ଭିତିରେ ଚତୁର୍ଥ ସ୍ଥାନରେ ଥିବା ଗଣିତ ବିଭାଗର ରିଡର ଅଶୋକ କୁମାର ଦାସଙ୍କୁ ବିଦାୟୀ ଅଧ୍ୟାପକ ଗୋପାଳ ବେହେରା କଲେଜର ଅଧ୍ୟକ୍ଷ ଦାୟୀତ୍ୱ ଆଜି ସନ୍ଧ୍ୟାରେ ପ୍ରଦାନ କରିଛନ୍ତି । ସୂଚନା ଥାଉକି ହାଇକୋର୍ଟଙ୍କ ସ୍ଥଗିତାଦେଶ ପରେ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରା କଲେଜ ପରିଚାଳନା ପରିଷଦ ସଭାପତିଙ୍କ ସୁପାରିଶ କ୍ରମେ ତୃତୀୟ ବରିଷ୍ଠ ପଦାର୍ଥ ବିଜ୍ଞାନ ବିଭାଗ ରିଡର ଶ୍ରୀ ପୁହାଣଙ୍କ ନାମକୁ କଲେଜର ପରବର୍ତ୍ତୀ ଅଧ୍ୟକ୍ଷ ପଦ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ ପାଇଁ ପଠାଇଥିଲେ । କିନ୍ତୁ କଲେଜ ପରିଚାଳନା ପରିଷଦର ବିନା ଅନୁମୋଦନ ଏବଂ ବିନା ସୁପାରିଶରେ କେଉଁ ଅଦୃଶ୍ୟ ବ୍ୟକ୍ତିଙ୍କ ନିର୍ଦେଶରେ ଆଜି ସନ୍ଧ୍ୟାରେ ଶ୍ରୀ ପୁହାଣଙ୍କ ସ୍ଥାନରେ ଶ୍ରୀ ଦାସଙ୍କୁ କଲେଜର ଅଧ୍ୟକ୍ଷ ଦାୟୀତ୍ୱ ସମର୍ପି ଦିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମହାବିଦ୍ୟାଳୟର ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ପ୍ରଦିପ ସାହୁ, ଦୈତାରୀ ସେଠୀ, ବିଶ୍ୱଜିତ ଦାସ, ପ୍ରତାପ ମହାନ୍ତି, ଶରତ ସିଂ, ଚିନ୍ମୟ ବଳ, ସତ୍ୟରଞ୍ଜନ ସେନାପତି, ବରଦାପ୍ରସନ୍ନ ମହାନ୍ତି, ମନୋରଞ୍ଜନ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭଳି ରାଜ୍ୟର ସର୍ବ ବୃହତ ବେସରକାରୀ ମହାବିଦ୍ୟାଳୟକୁ ନଷ୍ଟଭ୍ରଷ୍ଟ କରିଦେବାକୁ ଏଭଳି ଉଦ୍ୟମକୁ କଲେଜର ପୁରାତନ ଛାତ୍ରମାନେ କଦାପି ବରଦାସ୍ତ କରିବେନି । ଆଗାମୀ ଦିନରେ ଏକ ମହାସଂଗ୍ରାମ କରିବା ପାଇଁ ପୁରାତନ ଛାତ୍ରମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading