
କେନ୍ଦ୍ରାପଡ଼ା, ୨୨ା୧୨ : ଜନୈକ ନାବାଳିକାକୁ ଯୈାନ ଉତ୍ପୀଡନ ଦେବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ୬୩ବର୍ଷୀୟ ଅଭିଯୁକ୍ତ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକାଣ୍ଡିଲୋ ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ପ୍ରଣତୀ ପଟ୍ଟନାୟକ ୨୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୩ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ସୂଚନାନୁଯାୟୀ ୨୦୨୩ ମସିହାର ବିଭିନ୍ନ ସମୟରେ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରାଙ୍କ ଦୋକାନକୁ ଆସୁଥିବା ଜନୈକ ୧୨ବର୍ଷରୁ କମ୍ ବୟସର ନାବାଳିକାକୁ କଦଳୀ ଓ ଚକୋଲଟ୍ ପ୍ରଭୃତି ଦେଇ ପ୍ରଲୋଭିତ କରି ତାକୁ ଯୌନ ଉତ୍ପୀଡନ ଦେବା ସହିତ ଦୁଷ୍କର୍ମ କରି ଆସୁଥିଲେ । ଏ ସମ୍ପର୍କରେ ବାହାରେ କାହାକୁ କହିଲେ ଜୀବନରୁ ତାକୁ ମାରିଦେବାକୁ ନାବାଳିକାକୁ ଅଭିଯୁକ୍ତ ଧମକ ଦେଇ ଆସୁଥିଲା । ସଂପୃକ୍ତ ନାବାଳିକା ଜଣକ୧୫ଦିନ ଧରି ଅନ୍ୟମନସ୍କ ରହିବାରୁ ତା’ର ମା ଏ ସମ୍ପର୍କରେ ତାକୁ ପଚାରିବାରେ ସେ ମାଆ ପାଖରେ ସମସ୍ତ ବିଷୟ କହିଦେଇଥିଲା । ଏହା ଜାଣିବାପରେ ନାବାଳିକାର ମାଆ କେନ୍ଦ୍ରାପଡା ସଦର ଥାନାରେ ୨୦୨୩ ମସିହା ମଇ ମାସ ୧୯ତାରିଖରେ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ସଦରଥାନା ପୋଲିସ ଘଟଣାର ତଦନ୍ତ ପୂର୍ବକ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ଚଳିତବର୍ଷ ଜୁଲାଇ ୧୬ତାରିଖରେ କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍ ତଥା ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ଜଜ୍ ଆଜି ତାଙ୍କର ରାୟ ପ୍ରଦାନକରି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକଣ୍ଡିଲୋ ଗ୍ରାମର ବୃନ୍ଦାବନ ବେହେରାଙ୍କ ପୁଅ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରା(୬୩)କୁ ୨୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁଏହି ମାମଲାକୁ କୋର୍ଟରେ ସ୍ୱତନ୍ତ୍ର ପି.ପି. ମନୋଜ ସାହୁ ପରିଚାଳନା କରୁଥିଲେ ।











