ସଡକ ସୁରକ୍ଷା ସପ୍ତାହ ୨୦୨୪ ଉଦଯାପିତ


କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ (୧ରୁ ୭ ଜାନୁଆରୀ)-୨୦୨୪ ପାଳନ ଉଦ୍‌ଯାପିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ୍ ହଲ୍‌ଠାରେ ଜିଲ୍ଲା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ପାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ମାନିବା ପାଇଁ ଆହ୍ୱାନ ଜଣାଇଥିଲେ ।

ଏହି ସପ୍ତାହ ପାଳନର ଥିମ୍ “ସଡ଼କ ସୁରକ୍ଷା, ପରିବାର ରକ୍ଷା” ଉପରେ ଏକ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ ଉତ୍ସବର ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଫେସର ନନ୍ଦ କିଶୋର ପରିଡ଼ା । ଏହି ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ ଓ ସ୍ଲୋଗାନ୍ ପ୍ରତିଯୋଗିତାର କୃତୀ ୧୨ଜଣ ପ୍ରତିଯୋଗୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଦୁର୍ଘଟଣାର ଗୋଲଡେନ୍ ଆୱାର୍‌ରେ (ଦୁର୍ଘଟଣାର ୧ ଘଂଟା ମଧ୍ୟରେ) ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଂଚାଇ ସେମାନଙ୍କ ଜୀବନ ରକ୍ଷା କରିବାରେ ଗୁରୁ ଦାୟିତ୍ୱ ତୁଲାଇଥିବା ୯ଜଣ ସୁନାଗରିକଙ୍କୁ “ଗୁଡ୍ ସମରିଟାନ୍ ଆୱାର୍ଡ଼” ପ୍ରଦାନ କରାଯାଇଥିଲା । ସେମାନଙ୍କୁ ଉତ୍ତରୀୟ, ପ୍ରମାଣପତ୍ର ଓ ଫାଷ୍ଟଏଡ୍ କିଟ୍ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅତିଥିଙ୍କୁ ସଡ଼କ ସୁରକ୍ଷାର ଶପଥପାଠ କରାଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ । ଏହି ଉତ୍ସବରେ ଡିଆଇପିଆର୍‌ଓ ଆଲୋକ କୁମାର ମହାନ୍ତି, ଏସ୍‌ଡିଆଇପିଆର୍‌ଓ ଅଶୋକ ବଳିଆରସିଂହ, ବିଭିନ୍ନ ସ୍କୁଲ୍ ଓ କଲେଜ୍‌ର ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହାକୁ ସଫଳ କରାଇବାରେ ଜିଲ୍ଲା ପରିବହନ କାର୍ଯ୍ୟାଳୟର ସେକ୍ସନ୍ ଅଫିସର୍ ପ୍ରଭାକର ରାଉତ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ହେମନ୍ତ କୁମାର ରାଉତ ।

ଏହି ଉପଲକ୍ଷେ ଆଜି ତିନିମୁହାଣୀଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ସ୍କୁଲ କଲେଜ୍ ଛାତ୍ରଛାତ୍ରୀଙ୍କ ସହ ପଟ୍ଟାମୁଣ୍ଡାଇ ସବ୍‌ରେଜିଷ୍ଟ୍ରାର୍ ଅଶୋକ କୁମାର ମହାନ୍ତି, ଆର୍‌ଟିଓ ଧୀରେନ୍ଦ୍ର କୁମାର ନାୟକ, କେନ୍ଦ୍ରାପଡ଼ା ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ ପ୍ରମୁଖ ସ୍ଲୋଗାନ୍ ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ତିନିମୁହାଣୀରୁ ବାହାରିଥିବା ଏହି ରାଲି ନୂଆ ବସଷ୍ଟାଣ୍ଡ, କାକଟ, ବଡ଼ହାଟ ଦେଇ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ପହଂଚିଥିଲା । ସୂଚନାଯୋଗ୍ୟ, ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଏହି ସପ୍ତାହ ପାଳନ ଅବସରରେ ଗାଡ଼ି ଚାଳକମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବା ସହ ଓଳାଭର ଓ ମାର୍ଶାଘାଇରେ ଦୁଇଟି ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ୪ଟି କଲେଜ୍‌ରେ ମାଷ୍ଟର୍ ଟ୍ରେନର୍ ଦିପକ ଚୌଧୁରୀ ଦୁର୍ଘଟଣାର ଗୋଲ୍‌ଡେନ୍ ଆୱାର୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କିପରି ଡାକ୍ତରଖାନାରେ ପହଂଚାଇ ଜୀବନରକ୍ଷା କରିହେବ ତାହାର କୌଶଳ ଶିଖାଇଥିଲେ । ଜିଲ୍ଲା ସଡ଼କ ସୁରକ୍ଷା ସମିତି ଗାଡ଼ିଚାଳକମାନଙ୍କୁ ମାଗଣା ଚା ବଂଟନ କରି ଅଭିନବ ଢଙ୍ଗରେ ସଚେତନତାର ବାର୍ତ୍ତା ବାଂଟିଥିଲେ ।


Next Post

ଜୟରାଷ୍ଟ୍ର ପକ୍ଷରୁ ପରିକ୍ରମା କରିବ ରାମରଥ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ବୈଠକ

Sun Jan 7 , 2024
କେନ୍ଦ୍ରାପଡ଼ା,୭ା୧: ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ସାମାଜିକ ସଂଗଠନ ଜୟରାଷ୍ଟ୍ର ପକ୍ଷରୁ ଏକ ଭବ୍ୟ ‘ରାମ ରଥ‘ ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ । “ରାମ ରଥ” ପାଳକଣା ନିମ୍ବଦାରୁ ରାମ ମନ୍ଦିରରୁ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ସ୍ଥାନୀୟ କୋର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ […]

You May Like