ତୁଳସୀକ୍ଷେତ୍ରର କୋଣଅନୁକୋଣରେ ଭାବମୟ ପରିବେଶ


କେନ୍ଦ୍ରାପଡ଼ା, ତା ୧୦/୦୧: ତୁଳସୀକ୍ଷେତ୍ରରେ ପୁରପଲ୍ଲୀରେ ଅର୍ପଣ ରଥକୁ କରାଯାଉଛି ଭବ୍ୟ ସ୍ୱାଗତ । ରଙ୍ଗବେରଙ୍ଗ ମୁରୁଜ ସାଙ୍ଗକୁ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସବୁଠି ସୃଷ୍ଟି ହୋଇଛି ଏକ ଭାବମୟ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ କେନ୍ଦ୍ରାପଡ଼ାବାସୀ ଶ୍ରଦ୍ଧାର ସହ ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ ।

ଆଜି ଗରଦପୁର ବ୍ଲକ୍‌ର ବନ୍ତଳା, ଭଗବାନପୁର, ପାଟକୁରା ଗ୍ରାମ ପଂଚାୟତରେ ଅକ୍ଷତ ଓ ଗୁଆ ସଂଗ୍ରହ କରିଥିଲା ଅର୍ପଣ ରଥ । ସେହିପରି ଆଳି ବ୍ଲକ୍‌ର କୋଳଡିହ, ବାଳକାଟି ଗ୍ରାମ ପଂଚାୟତରେ ଆଜି ଅର୍ପଣ ରଥବୁଲିଥିବା ବେଳେ ଡିମିରିପାଳ, ଚଣ୍ଡିଆଗଡ଼ି, ଅଟାଳ, ନିଆଳ  ଗ୍ରାମ ପଂଚାୟତ ଭ୍ରମଣ କରିସାରିଛି ଅର୍ପଣ ରଥ ।ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍‌ର କଖାରୁଣି, ନରସିଂହପୁର, ତରଡ଼ିପାଳ, ଶ୍ରୀରାମପୁର, ବଲୁରିଆ, ଓଉପଦା, ବଡ଼ପଡ଼ା ଆଦି ଗ୍ରାମ ପଂଚାୟତରେ ଆଜି ଗଡ଼ିଛି ଅର୍ପଣ ରଥ ।କଖାରୁଣି ଗ୍ରାମ ପଂଚାୟତ ଭ୍ରମଣ ବେଳେ ରାଜନଗରର ମାନ୍ୟବର ବିଧାୟକ ଶ୍ରୀ ଧ୍ରୁବ ସାହୁ ଅର୍ପଣ ରଥଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ସେହିପରି ରାଜକନିକା ବ୍ଲକ୍‌ର ବରଡ଼ିଆ, ଜୟନଗର, କୋଇଲିପୁର, ଓଳାଭର, ବରୁଣା, ଟରସ, ପଣସଗଣ୍ଡା, ପଧାନପଡ଼ା, ନହୁଣୀ, ହାଟସାହି ଓ କେ.ବଣିଆ ଗାଁରେ ଆଜି ଅର୍ପଣ ରଥ ପରିକ୍ରମା କରି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛି । ଡେରାବିଶ ବ୍ଲକ୍‌ର ଛୋଟି, ଖମୋଳ, କୁରଜଙ୍ଗ, କୁସିଆପାଳ, ଜାଆଁରାବାରିମୂଳ, ନରସିଂହପୁର, ଏଣ୍ଡର, ଦାନପୁର, କଉପଦା, ଏଲ୍‌ଏନ୍‌ପୁର, ମୁକୁନ୍ଦପୁର ଗ୍ରାମ ପଂଚାୟତରେ ଅର୍ପଣ ରଥ ଭ୍ରମଣ କରି ଶ୍ରଦ୍ଧାଳୁଙ୍କଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛି ।

କେନ୍ଦ୍ରାପଡ଼ା ମୁନିସିପାଲିଟିର ୧, , , , ୧୭, ୧୮, ୨୦ ଓ ୨୧ ନମ୍ବର ୱାର୍ଡ଼ରେ ଭ୍ରମଣ କରି ଲୋକଙ୍କଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛି ଅର୍ପଣ ରଥ । ସେହିପରି କେନ୍ଦ୍ରାପଡ଼ା ବ୍ଲକ୍‌ର ବାରୋ, କଂସାର, କଳପଦା, ଭରତପୁର, ଗୁଲନଗର, ସାନମନ୍ତିଆ, ଇନ୍ଦୁପୁର ଗ୍ରାମ ପଂଚାୟତରେ ଆଜି ଅର୍ପଣ ରଥ ଭ୍ରମଣ କରିଛି ।

ସୂଚନାଯୋଗ୍ୟ ଯେ, ସଂଗ୍ରହ କରାଯାଇଥିବା ଅକ୍ଷତ ଓ ଗୁଆ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀକ୍ଷେତ୍ର ପୁରୀକୁ ନିଆଯିବ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯିବ ।