
କେନ୍ଦ୍ରାପଡା, ୧୫ା୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୬୧ତମ ଜୟନ୍ତୀ ସାହିତ୍ୟ ସଂସଦର ଡ. ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ୍ ରିଡିଂ ରୁମ୍ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ସେନାପତି ଥିଲେ ଜଣେ ସଂକ୍ରାନ୍ତୀ ପୁରୁଷ । ତାଙ୍କର ପ୍ରତ୍ୟେକ ରଚନା କାଳଜୟୀ ସୃଷ୍ଟି । ‘ରେବତୀ’ ଗଳ୍ପ ତାଙ୍କ ଓଡିଆ ସାହିତ୍ୟର ପ୍ରଥମ ଗଳ୍ପ ପୁସ୍ତକ ହୋଇଥିବାବେଳେ ନାରୀଶିକ୍ଷା ପାଇଁ ଏହା ଏକ ମାଇଲ୍ ଖୁଣ୍ଟ ଥିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଏଥିସହିତ ତାଙ୍କର ସର୍ବଶ୍ରେଷ୍ଠ କୃତୀ “ଛ’ ମାଣ ଆଠ ଗୁଣ୍ଠ” ଉପନ୍ୟାସ କେନ୍ଦ୍ରାପଡା ବଡକୋଠାରେ ଅବସ୍ଥାନ କାଳରେ ଲେଖା ହୋଇଥିଲା ବୋଲି କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସୁରେନ୍ଦ୍ରନାଥ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ କରିଲୋପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ସର୍ବେଶ୍ୱର ଶେଣ ଆଲୋଚନା କରି କହିଲେ ଫକୀର ମୋହନ ସେନାପତି ଥିଲେ ଓଡିଆ ସାହିତ୍ୟର ସେନାପତି । ଏହି ଅବସରରେ ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଚିତ୍ତରଞ୍ଜନ କବି, ନିରୂପମା ଦାସ, ଦେବାଶିଷ ପ୍ରଧାନ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଅଶୋକ କୁମାର ସାହୁ, କ୍ରାନ୍ତିମୟୀ ପ୍ରଧାନ, ନୃସିଂହ ଚରଣ ତ୍ରିପାଠୀ, ମଧୁସୂଦନ ଗେରୁ, ଶରତ କୁମାର ରାଉତ, ଆଶିଷ ସେନାପତି, ରଞ୍ଜନ କୁମାର ବାଈ ପ୍ରମୁଖ ଯୋଗଦାନ କରି ବ୍ୟାସକବିଙ୍କର କାଳଜୟୀ ସୃଷ୍ଟି ଓ ଓଡିଆ ସାହିତ୍ୟ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଗୋଲକ କୁମାର ସେଠୀ ଆବାହନୀ ସଙ୍ଗୀତ ଗାନ କରିଥିଲେ ଏବଂ ଆଦିକନ୍ଦ ରାଉଳ ଧନ୍ୟବାଦ ଜ୍ଞାପନ କରିଥିଲେ ।











