ଓଡିଶା ରାଜସ୍ୱ କ୍ଷେତ୍ରାଧିକାରୀ ସଙ୍ଘର ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଦାବିପତ୍ର


କେନ୍ଦ୍ରାପଡ଼ା,୨୪ା୧: ଓଡିଶା ରାଜସ୍ୱ କ୍ଷେତ୍ରାଧିକାରୀ ସଙ୍ଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଙ୍ଘ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ମୁଖ୍ୟ ଶାସନ ସଚିବ, ଭୁବନେଶ୍ୱରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଦାବି ଗୁଡିକ ସଫଳ ପ୍ରତିଫଳନ ନିମନ୍ତେ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବାରୁ ଆସନ୍ତା ୨୫ତାରିଖ ଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ପ୍ରଦର୍ଶନ କରିବା ସହ ୧୦ଦିନ ପରେ କଲମ ଛାଡ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ପରବର୍ତ୍ତୀ କାର୍ଯ୍ୟପନ୍ଥା ଅନୁସାରେ କଲମଛାଡ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନରେ ରୂପାୟନ କରାଯାଇ ଅନିର୍ଦ୍ଦିଷ୍ଟକାଳ ଯାଏଁ ଆନ୍ଦୋଳନକୁ ଜାରି ରଖିବା ପାଇଁ ରାଜ୍ୟ ସଙ୍ଘ ଦୃଢ ପଦକ୍ଷେପ ନେଇଥିବା ଜଣାଇଛନ୍ତି । ରାଜ୍ୟ ସଙ୍ଘର ବିଭିନ୍ନ ଦାବି ଅନୁଯାୟୀ କ୍ୟାଡର ପୁର୍ନଗଠନ, ସହକାରୀ ରାଜସ୍ୱ ନିରୀକ୍ଷକ ଓ ଅମିନମାନଙ୍କର ସାଧାରଣ ଗ୍ରେଡେସନ ତାଲିକା ପ୍ରାପ୍ୟ ସ୍ତରକୁ ପ୍ରାଥମିକତା ଦିଆଯାଇ ବରିଷ୍ଠତା ଭିତ୍ତିରେ ପ୍ରକାଶ କରିବା,ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ କରିବା, ପଦୋନ୍ନତି ନିମନ୍ତେ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟରେ ଆଉଟ ଷ୍ଟାଡିଙ୍ଗ ବ୍ୟବସ୍ଥା ସମାପ୍ତ କରିବା ଇତ୍ୟାଦି ଦାବି ରହିଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଙ୍ଘର ସଭାପତି ସୁକାନ୍ତ କୁମାର ମଲ୍ଲିକ, ଜିଲ୍ଲା ସମ୍ପାଦକ ବିଶ୍ୱ ବିଜୟୀ ପରିଡା, ସଂଗଠନ ସମ୍ପାଦକ ମନୀଷା ପ୍ରିୟଦର୍ଶିନୀ ଷଡଙ୍ଗୀ, ରାଜେଶ କୁମାର ମାରାଣ୍ଡୀ, ମୋନାଲିସା ବେହେରା, ପ୍ରତ୍ୟୁଷ କୁମାର ଦିକ୍ଷୀତ, ଦୁର୍ଗାଦତ୍ତ ସାମଲ, ସୁପ୍ରିୟା ସ୍ୱାଇଁ, ଦିପ୍ତିରଞ୍ଜନ ବାରିକ, ମାନସରଞ୍ଜନ ନାଥ, ପ୍ରଶାନ୍ତ ମାଝିଙ୍କ ସମେତ ଜିଲ୍ଲା ସଙ୍ଘର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଆଜି ଜିଲ୍ଲାର ସମସ୍ତ ୯ଗୋଟି ତହସିଲ ପକ୍ଷରୁ କଳାବ୍ୟାଚ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ନିମନ୍ତେ ସଂପୃକ୍ତ ତହସିଲଦାରଙ୍କ ମାଧ୍ୟମରେ ତହସିଲ ସ୍ତରରେ ସମସ୍ତ ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ମିଳିତ ଭାବେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading