ଆନ୍ଦୋଳନ ପାଇଁ ଓଷ୍ଟାର ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୩୦ା୧: ମାଧ୍ୟମିକ ସ୍କୁଲ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ନେଇ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) ବ୍ଲକଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏଥିପାଇଁ ରାଜ୍ୟ ଓଷ୍ଟାର ନିଷ୍ପତ୍ତିକ୍ରମେ ଆସନ୍ତା ୩ତାରିଖ ଶନିବାର ଦିବା ୧୧ ଘଟିକା ସମୟରେ ଏକ ପ୍ରତିବାଦ ସଭା ସହ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଓ ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ ଶିକ୍ଷକ/ଶିକ୍ଷିକାମାନଙ୍କର ବିବିଧ ସମସ୍ୟା ଆଲୋଚନା କରିବା ସହ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ସରକାରଙ୍କ ଟାଳଟୁଳ ନୀତିକୁ ନିନ୍ଦା କରିବା ସହ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀ ଏକଜୁଟ ହୋଇ ଦାବି ହାସଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାନେତ୍ରୀ ଅନ୍ନପୂର୍ଣ୍ଣା ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରସନ୍ନ କୁମାର ପରିଡା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ସଦସ୍ୟା ସରୋଜିନୀ ସ୍ୱାଇଁ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ଶିକ୍ଷକ ନେତା ପରୀକ୍ଷିତ ସାମଲ, ଦିବ୍ୟଲୋଚନ ପରିଡା ପ୍ରମୁଖ ଯୋଗଦେଇ ଆନ୍ଦୋଳନକୁ ଶାଣିତ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଦାବିସମୂହ, ଅଣ ଅନୁଦାନପ୍ରାପ୍ତ ୧୯୪ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକୁ ଚାକିରୀ ସର୍ତ୍ତାବଳୀ ସହ ପେନ୍‌ସନ୍ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରୁ ଅବସର ନେଇଥିବା ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କୁ ତୁରନ୍ତ ପେନ୍‌ସନ୍ ପ୍ରଦାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ, ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟଗୁଡିକୁ ସରକାରୀକରଣ, ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ପଦବୀ ପୂରଣ, ୨୮୦୦ ଗ୍ରେଡ୍ ପେ’ ପାଉଥିବା ସମସ୍ତ ଶିକ୍ଷକ, ଶିକ୍ଷିକାମାନଙ୍କର ଅସଂଗତି ଦୂରୀକରଣ, ସପ୍ତମ ବେତନରୁ ବାଦ୍ ପଡିଥିବା ୩୯୯ ଓ ୨୨୬ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ୨୦୦୪-୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷିକାମାନଙ୍କୁ ବରିଷ୍ଠତା ଭିତ୍ତିରେ ସୁବିଧା ସୁଯୋଗ ପ୍ରଦାନ ଓ ସମସ୍ତ ସେକ୍ସନ ଶିକ୍ଷକମାନଙ୍କୁ ନିୟମିତ ଭାବେ ସମାନ ସୁବିଧା ପ୍ରଦାନ ।


Next Post

କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ : ଦୁର୍ବଳତମ ଲୋକଙ୍କ ନିକଟରେ ପହଂଚିବ ଜିଲ୍ଲା ପ୍ରଶାସନ , ସୂଚନାଦେଲେ ଗଣମାଧ୍ୟମକୁ

Tue Jan 30 , 2024
କେନ୍ଦ୍ରାପଡ଼ା, ୩୦/୦୧: କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦାନ କରିଛନ୍ତି । ମଙ୍ଗଳବାର ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ପୂର୍ବାହ୍ନ ୧୦ଟାରେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି  କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ । ଜିଲ୍ଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଂଚିବ […]

KANIKA