କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ : ଦୁର୍ବଳତମ ଲୋକଙ୍କ ନିକଟରେ ପହଂଚିବ ଜିଲ୍ଲା ପ୍ରଶାସନ , ସୂଚନାଦେଲେ ଗଣମାଧ୍ୟମକୁ


କେନ୍ଦ୍ରାପଡ଼ା, ୩୦/୦୧: କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦାନ କରିଛନ୍ତି । ମଙ୍ଗଳବାର ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ପୂର୍ବାହ୍ନ ୧୦ଟାରେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି  କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ । ଜିଲ୍ଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଂଚିବ ପ୍ରଶାସନ ଓ ଦକ୍ଷତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ । ସୂଚନାଯୋଗ୍ୟ, ୨୦୧୮ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ ସମ୍ବଲପୁରର ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନରଭାବେ କାର୍ଯ୍ୟକରି ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି ।

ଗତ ୨୮ ତାରିଖ ରବିବାର ପୂର୍ବତନ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଆଜି ପୂର୍ବାହ୍ନରେ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)  ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲ୍ଲାପାଳ  ରବିନ୍ଦ୍ର କୁମାର ପ୍ରଧାନ ଓ କଲେକ୍ଟେରିଏଟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସ୍ବାଗତ ଜଣାଇଥିଲେ । ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲାର ସମସ୍ତ ଅଧିକାରୀ, ବିଡ଼ିଓ, ତହସିଲଦାର, ସମସ୍ତ ବିଭାଗୀୟ  ଅଧିକାରୀ ଭେଟି ତାଙ୍କୁ ସ୍ବାଗତ ଜଣାଇଥିଲେ । ଆଜି ପ୍ରଥମ ଦିନରେ ଜିଲ୍ଲାପାଳ ଭାବରେ ଦାୟୀତ୍ଵ ଗ୍ରହଣ କରିବା ପରେ ପ୍ରଥମେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ପ୍ରଚେଷ୍ଟା କରିବେ ବୋଲି ସୂଚନା ଦେବା ସହିତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ‘‘ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ପ୍ରଚେଷ୍ଟା ଓ ସହଯୋଗ ଏକାନ୍ତ କାମ୍ୟ । ଏହାସହ ଜିଲ୍ଲାର ଆଇନ ଶୃଙ୍ଖଳାକୁ ଆହୁରୀ ସୁଦୃଢ କରିବାକୁ ସମସ୍ତ ପଦକ୍ଷପ ଗ୍ରହଣ କରାଯିବ । ପରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ୍‌ଦାର, ବିଡିଓ, ସମସ୍ତ ଲାଇନ ଡିପାର୍ଟମେଂଟ୍‌ର ଅଧିକାରୀ, ନିର୍ବାହୀ ଅଧିକାରୀଙ୍କ ସହ ପରିଚିତ ହେବା ସହିତ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଶାସନର ସମସ୍ତ କାର୍ଯ୍ୟକୁ ଲୋକାଭିମୁଖୀ କରିବା ସହ ଆସନ୍ତା ସାଧାରଣ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ସେ ସମସ୍ତ ଅଧିକାରୀକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ କରି ଭିତିଭୂମି ପରଖିବା ସହ ମୂଲ୍ୟବାନ ଉପଦେଶ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading