
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୭ କିମି ରାସ୍ତା ବିଭାଗୀୟ କର୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି । ଗତ ଦେଢ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି । କିନ୍ତୁ ରାସ୍ତା ନିର୍ମାଣ, ମରାମତି ହେବା ପରେ ମଧ୍ୟ ରାସ୍ତାରୁ ପିଚୁ ଉଠିଯିବା ସହ ଗାତ ସୃଷ୍ଟି ହୋଇ ଯାତାୟାତରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ବୁଦ୍ଧିଜୀବୀ, ସମାଜିକକର୍ମୀ, ଜନସାଧାରଣଙ୍କ ମଧ୍ୟରେ ,ମତ ପ୍ରକାଶ ପାଇଛି ।
ସାମାଜିକ କର୍ମୀ ଆଲୋକ ଧଳ, ମିଟୁ ଧଳ, ପ୍ରବିର ନାୟକ ପ୍ରମୁଖ କୁହିଛନ୍ତି, କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନରେ କେଳେଙ୍କାରୀ ପଦାରେ ପଡ଼ିଛି । ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ଇନ୍ଦୁପୁର ମଧ୍ୟରେ କୋଟି କୋଟି ଟଙ୍କାର କାମ ହୋଇଛି । ମାତ୍ର ବିଭାଗୀୟ ଅଧିକାରୀ ବେଫିକର ମନୋଭାବ ଯୋଗୁ ରାସ୍ତାର ଚାରିଆଡେ ପିଚୁ ଉଠି ଗାତ ସୃଷ୍ଟି ହୋଇ ଯାତାୟାତରେ ବାଧା ଉପୁଜୁଛି । ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୨୦୨୨ ମସିହା ଡିସେମ୍ବରରେ ରାସ୍ତାର ମରାମତି ଲାଗି ପ୍ରଥମ ପର୍ଯ୍ୟାୟରେ ନୀଳକଣ୍ଠପୁର ପାଖରୁ ପଟ୍ଟାମୁଣ୍ଡାଇ ବାଇପାସ୍ ପର୍ଯ୍ୟନ୍ତ ୩ କିମି ରାସ୍ତାକୁ ୧୯ ଲକ୍ଷ ପରେ ଦୁଇଟି ପର୍ଯ୍ୟାୟରେ ୪୮ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇ ମରାମତି କାର୍ଯ୍ୟ ହୋଇଥିଲା ।ସେହିପରି ୨୦୨୩ ମାର୍ଚ୍ଚରୁ ମଇଁ ଭିତରେ ପଟ୍ଟାମୁଣ୍ଡାଇ ବାଇପାସ୍ ପାଖରୁ କୈଳାସି ପୋଲ ପଛକୁ ୯ ଶହ ମିଟର କର୍ଯ୍ୟ ପାଇଁ ୨୬ ଲକ୍ଷ ଓ କୈଳାସି ପୋଲରୁ ନୀଳକଣ୍ଠପୁର ପର୍ଯ୍ୟନ୍ତ ୧୫ ଶହ ମିଟର କାମ ପାଇଁ ୫୫ ଲକ୍ଷ ବ୍ୟୟ ଅଟକଳରେ ଖାଲଖମା ମରାମତି ହୋଇଥିଲା । ମାତ୍ର ନିର୍ମାଣ ସରିବାର ୬ ମାସ ଭିତରେ ରାସ୍ତାରୁ ପିଚୁ ଉଠିପଡୁଥିବା ବେଳେ ଏବେ ସମ୍ପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ ସୃଷ୍ଟି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଏହାଦ୍ୱାରା ୬ ପଂଚାୟତର ୨୫ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି । ଠିକାଦାର ଓ ଯନ୍ତ୍ରୀ ସଲାସୁତରାରେ କୋଟି କୋଟି ଟଙ୍କାର କାମକୁ ଅତି ନିମ୍ନମାନର କରାଯାଇ ହରିଲୁଟ କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ବୁଦ୍ଧିଜୀବୀ ପ୍ରମୋଦ ଜେନା କହିଛନ୍ତି, ବ୍ରାହ୍ମଣୀ ଘେରି ବନ୍ଧ ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଖାଲଖମାରେ ପରିଣତ ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା । ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏହି ରାସ୍ତାର ମରାମତି ପାଇଁ ୪ଟି ପର୍ଯ୍ୟାୟରେ ୧ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏହି କାର୍ଯ୍ୟକୁ କରିବାକୁ ଠିକାଦାରଙ୍କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା । ମାତ୍ର ଠିକାଦାର ନାମକୁ ମାତ୍ର ଜେନେତେନ ପ୍ରକାର ନିମ୍ନମାନର କାମ କରି ସାରି ଦେଇଥିଲେ । ଏବେ ରାସ୍ତାରେ ଆଣ୍ଠୁଏ ଲେଖାଏ ଗାତ ସୃଷ୍ଟି ହୋଇଛି । ଗତ ୨ ବର୍ଷ ଧରି ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆଖାବରା ହେଉଛନ୍ତି । ନୀଳକଣ୍ଠପୁର, ହାଟପାଟଣା, ନୂଆପାଟଣା, ଚନ୍ଦନପୁର ସମେତ ପଟ୍ଟାମୁଣ୍ଡାଇ ଧୋୟାଂଚଳର ୬ଟି ପଂଚାୟତର ଦୈନିକ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତାକୁ ଜଳସମ୍ପଦ ବିଭାଗ ଉପର ଠାଉରିଆ ଭାବେ ମରାମତି କରିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ସହ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏହି ରାସ୍ତା ଦେଇ ଦୈନିକ ଶହଶହ ବାଲି ହାଇବାଟ୍ରକ ଚଳପ୍ରଚଳ କରିବା ଦ୍ୱାରା ରାସ୍ତା ଖରାପ ହୋଇଯାଉଛି । ଜନସାଧାରଣ ଏହି ଘେରିବନ୍ଧଦେଇ ଯାଉଥିବା ଭାରିଗାଡି ବନ୍ଦ କରାଇଲେ ରାସ୍ତା ଭଲରୁହନ୍ତା ବୋଲି ସେ କହିଛନ୍ତି ।










