ବ୍ଲକ ଯୋଗାଣ ବିଭାଗ ମନମାନି, ବିରୋଧ କରି ସରପଂଚ ଅଧିକାରୀ ମୁହାଁ ମୁହିଁ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ବିଭାଗର ମନମାନିକୁ ନେଇନୀ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଲଙ୍କାକାଣ୍ଡ ସୃଷ୍ଟି କରିଥିବା ନେଇ ଯୋଗାଣ ବିଭାଗ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ସମଗ୍ର ବ୍ଲକରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକକୁ ରାସନକାର୍ଡ ଖଣ୍ଡେ ପାଇବା ପାଇଁ ଓ ରାସନକାର୍ଡରେ ନାମ ସଂଯୋଗ କରିବା ପାଇଁ ସାଧାରଣଲୋକମାନେ ବାରମ୍ବାର ଦୌଡୁ ଥିବା ସତ୍ୱେ ସମସ୍ୟା ସମାଧାନରେ ଯୋଗାଣ ବିଭାଗର ଟାଳଟୁଳ ନୀତି ଓ ମନମାନି ଅବସ୍ଥାକୁ ଗଭୀର କରିଛି । ଏହି ବ୍ଲକର ନୀଳକଣ୍ଠପୁର ସରପଂଚ ଜ୍ଞାନେନ୍ଦ୍ର ଖଣ୍ଡାୟୀ ରାସନକାର୍ଡରୁ ବଂଚିତ ହିତାଧିକାରୀଙ୍କୁ କାର୍ଡ ଯୋଗାଇବା ଓ ରାସନକାର୍ଡରେ ନାମ ସଂଯୋଗ କରିବା ପାଇଁ ନିଜ ପଂଚାୟତର କିଛି ହିତାଧିକାରୀଙ୍କ ନାମ ତାଲିକା ବ୍ଲକ ଯୋଗାଣ ବିଭାଗରେ ଦାଖଲ କରିଥିଲେ । ସରପଂଚ ଜଣକ ବାରମ୍ବାର ଦୌଡିବା ପରେ ମଧ୍ୟ ଯୋଗାଣ ବିଭାଗର ମନମାନି ଯୋଗୁଁ ସମସ୍ୟା ସମାଧାନ ହୋଇନପାରିବା ଓ ସରପଂଚ ଜଣକ ସାଧାରଣରେ ଅପମାନିତ ହେବା ପରେ ଅତିଷ୍ଠ ହୋଇ ଆଜି ବ୍ଲକ ପରିସରରେ ହୋହାଲା କରିଥିଲେ । ସରପଂଚ ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଫିସରଙ୍କୁ ପଚାରିବାରେ ଦୁହିଁଙ୍କ ଭିତରେ ତେରିମେରି ହୋଇଥିଲା । ଏଭଳି ପଟିତୁଣ୍ଡ ଦେଖି କର୍ମଚାରୀମାନେ ରୁଣ୍ଡ ହୋଇପଡ଼ିଥିଲେ । ବ୍ଲକ ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଅବଗତ କରିବା ସହିତ ସରପଂଚଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଏ ସମ୍ପର୍କରେ ଏକ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଟ୍ଟାମୁଣ୍ଡାଇ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆନଗଲେ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ସମ୍ଭବପର ନୁହେଁ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ସରପଂଚ ଜ୍ଞାନେନ୍ଦ୍ର ଖଣ୍ଡାୟୀଙ୍କୁ ପଚାରିବାରେ ଯୋଗାଣ ବ୍ୟବସ୍ଥାରେ ସାଧାରଣ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ବାରମ୍ବାର ବିଫଳ ହେବା ପରେ ସେଠାରେ ବୁଝାସୁଝା କରିବାକୁ ଯାଇଥିଲି । ସେଠାରେ ଅଫିସରଙ୍କ ସହିତ ତେରିମେରି ହୋଇଥିଲା । ମାତ୍ର ଅଫିସ କର୍ମଚାରୀ ରୁଣ୍ଡହୋଇ ପାଟିତୁଣ୍ଡ କରି ଧକାମୁକା ମାରିଥଲେ । ଫଳରେ ଗୋଡଭେନ କଟିଯାଇଥିବାରୁ କେନ୍ଦ୍ରାପଡାରେ ଚିକିତ୍ସା ହୋଇ ଆସିଛି । ଏବାବଦରେ ଥାନାରେ ଏତଲା କରିବି ବୋଲି ସେ ପ୍ରକାଶ କରିଛନ୍ତି । ଆଜିର ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ବ୍ଲକରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading