ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ରୋଗୀ ଚିକିତ୍ସାରେ ଅବହେଳାକୁ ବରଦାସ୍ତ କରାଯିବନି


କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ସକାଳେ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଠାତ୍‌ପରିଦର୍ଶନ କରିଛନ୍ତି । ସକାଳ ପ୍ରାୟ ୮ଟା ସମୟରେ ଡାକ୍ତରଖାନା ପରିସର ଜିଲ୍ଲାପାଳ ପହଞ୍ଚି ଆଉଟ ଡୋର, ବିଭିନ୍ନ ବିଭାଗ ଏବଂ ୱାର୍ଡରେ ବୁଲି ରୋଗୀମାନଙ୍କୁ ଭେଟି ସେମାନଙ୍କକୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନା ପରିସରରେ ଥିବା ଅଲଟ୍ରାସାଉଣ୍ଡ, ଏକ୍ସରେ, ସିଟିସ୍କାନ ଭଳି ଲେଖାଥିବା କେତେକ ରୁମରେ ତାଲା ପଡିଥିବା ଦେଖି ସେ ସମ୍ପର୍କରେ ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିଥିଲେ । ଆଉଟଡୋରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଉପସ୍ଥିତ ନଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ । ଏଥିସହିତ ଚିକିତ୍ସାରେ ଅବହେଳା ନକରିବାକୁ ଏବଂ ରୋଗୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ରୋଗୀଙ୍କୁ ଚିକିତ୍ସାରେ ଅବହେଳା କଲେ ତାହାକୁ ବରଦାସ୍ତ କରାଯିବନି ବୋଲି କହିଥିଲେ ଜିଲ୍ଲାପାଳ । ଡାକ୍ତରଖାନାର ସ୍ୱଛତା ଓ ପରିମଳ ବ୍ୟବସ୍ଥାର ଉପଯୁକ୍ତ ତଦାରଖ ପାଇଁ ନିର୍ଦେଶ ଦେଇଥିଲେ । ରୋଗୀମାନଙ୍କୁ ମିଳୁଥିବା ଖାଦ୍ୟ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଉଭୟ ରୋଗୀ ଓ ଡାକ୍ତରଖାନା କତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଉପଯୁକ୍ତମାନର ଖାଦ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଡାକ୍ତରଖାନାରେ ଇସିଜି ଓ ଡିଜିଟାଲ ଏକ୍ସରେ ସେବା ମିଳୁନଥିବା ନେଇ ଜାଣିବା ପରେ ତୁରନ୍ତ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ସିଟିସ୍କାନ ସେବା କାହିଁକି ଉପଲବ୍ଧ ହେଉନାହିଁ ବୋଲି ଡାକ୍ତରଖାନା କତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେ ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଡା. ପ୍ରମୋଦ ପ୍ରହରାଜ, ଡାକ୍ତରଖାନା ପରିଚାଳକ ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading