କେନ୍ଦ୍ରାପଡ଼ା ୬ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋଟିଏ ପରେ ଗୋଟିଏ ଛାତ୍ର ବିଶୃଙ୍ଖଳା ଘଟଣା କଲେଜକୁ କଳଙ୍କିତ କରିବାରେ ଲାଗିଛି । କିନ୍ତୁ ଏଦିଗରେ କଲେଜ କତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଚୁପ ହୋଇ ବସିଯିବା ବିଶୃଙ୍ଖଳାକାରୀଙ୍କୁ ଉତ୍ସାହିତ କରୁଛି । ଏହା ମଧ୍ୟରେ କଲେଜ ପରିସରରେ ୪ଟି ଏଭଳି ଘଟଣା ଘଟି ଯାଇଥିବା ଦେଖାଯାଇଛି । ସେଥିମଧ୍ୟରୁ କଲେଜ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ସହ ୪ଟି ଘଟଣା କଲେଜ ପରିସରରେ ଘଟିଯାଇଥିବା ବେଳେ କଲେଜ କତ୍ତୃପକ୍ଷ କୈାଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିବା ବେଳେ କର୍ମଚାରୀ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ମନବଳକୁ ହ୍ରାସ କରିଥିବା ଦେଖାଯାଇଛି । ପ୍ରାୟ ବର୍ଷକ ତଳେ କଲେଜର ଜଣେ କର୍ମଚାରୀ ରମେଶ ଦାସଙ୍କୁ କଲେଜ ପରିସରରେ ଅଣଛାତ୍ରଙ୍କ ମରଣାନ୍ତଙ୍କ ଆକ୍ରମଣ ଘଟଣା ପରେ ଗଣିତ ବିଭାଗର ମୁଖ୍ୟ ପ୍ରଫେସର ଅଶୋକ ମିଶ୍ରଙ୍କୁ ତାଙ୍କ ବିଭାଗୀୟ କାର୍ଯ୍ୟାଳୟରେ ଅଣଚାତ୍ରଙ୍କ ଦ୍ୱାରା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଅଶ୍ଳୀଳତା ପ୍ରଦର୍ଶନକୁ ସୁଯୋଗ ନଦେବାରୁ କଲେଜର ୨ଜଣ ଅଧ୍ୟାପିକାଙ୍କୁ ଜନୈକ ଛାତ୍ରୀ ଗାଳିଗୁଲଜ କରିବା ସହ ଅଙ୍ଗୁଳି ଦେଖାଇ ଆପତ୍ତି ଜନକ ଆଖେପ କରିିବା ଘଟଣା ମନରୁ ଲିଭି ନଥିବା ବେଳେ ଏବେ ୨ଦିନ ତଳେ ପରୀକ୍ଷା ହଲରେ ଜନୈକ ପିଜି ଛାତ୍ରର ବେଆଇନ କାର୍ଯ୍ୟକୁ ବିରୋଧ କରିବାରୁ କଲେଜର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପିକାଙ୍କୁ ସଂପୃକ୍ତ ଛାତ୍ରର ଅଶାଳୀନ ବ୍ୟବହାର ଘଟଣା ସାଧାରଣରେ କଲେଜର ସମ୍ମାନକୁ ଭ୍ରୁଲୁଣ୍ଠିତ କରାଯାଉଥିବା ଅଭିଯୋଗ ହୋଇଛି । କେଉଁ କାରଣ ପାଇଁ କଲେଜ କତ୍ତୃପକ୍ଷ ଏସମସ୍ତ ଘଟଣାକୁ ଆଖିବୁଜି ଦେଉଛନ୍ତି ତାହା ବୁଝାପଡୁନାହିଁ । କଲେଜ କତ୍ତୃପକ୍ଷଙ୍କ ଏଭଳି ନିରବତାକୁ ନେଇ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେତେକ ବିଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ଅସଦ ଆଚରଣ ଯୋଗୁଁ ସାରା ମହାବିଦ୍ୟାଳୟ ଏବେ ବିଶୃଙ୍ଖଳିତ ହୋଇପଡିଛି । ଏହି ଘଟଣା କଲେଜ କତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଥିଲେ ବି କେଉଁ ଅଜଣା ଭୟରେ କଲେଜ କତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ସନ୍ଦେହ ସୃଷ୍ଟି କରିଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥନରେ ଜନୈକ ଛାତ୍ରନେତାଙ୍କ ପ୍ରରୋଚନାରେ କେତେକ ଅଣଛାତ୍ର କଲେଜରେ ଏଭଳି ଘଟଣା ଘଟାଇ ଚାଲିଥିବା ଅଭିଯୋଗ ହେଉଛି । ଅଧ୍ୟାପିକା ଦ୍ୱୟଙ୍କୁ ଜନୈକ ଛାତ୍ରୀଙ୍କ ଅସୈାଜନ୍ୟ ଓ ବିଶୃଙ୍ଖଳିତ ଆଚାରଣ ଘଟଣାରେ ଖବର ପାଇ ଟାଉନ ଥାନା ପୋଲିସ କଲେଜରେ ପହଞ୍ଚିବାରୁ ଶାନ୍ତିଭଙ୍ଗ ଘଟଣାକୁ ଏଡାଇ ଦିଆଯାଇଥିଲା । କିନ୍ତୁ ସେହି ଘଟଣାକୁ ପ୍ରାୟ ଏକମାସ ପୁରଣ ହୋଇଥିଲେବି କଲେଜ କତ୍ତୃପକ୍ଷ ସେହି ଦୁଇ ଅଧ୍ୟାପିକାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ଦେଇପାରିନାହାନ୍ତି । ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଶ୍ରଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ଅଣଛାତ୍ରଙ୍କ ବିରୋଧରେ କଲେଜ ପକ୍ଷରୁ ଥାନାରେ ଅଭିଯୋଗ କରିବାକୁ ବି କଲେଜ କତ୍ତୃପକ୍ଷ ଉଚିତ ମନେ କରିନାହାନ୍ତି । ଏହା ପରେ ଏବେ ରସାୟନ ବିଭାଗର ଅଧ୍ୟାପିକାଙ୍କୁ ପରୀକ୍ଷା ହଲରେ ପିଜି ଛାତ୍ରଙ୍କ ଆଶାଳୀନ ବ୍ୟବହାର ଘଟଣାକୁ କଲେଜ କତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଅଭିଯୋଗ ହୋଇଛି । ଏସବୁ ଘଟଣାରେ କଲେଜ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ କଲେଜର ହୃତଗୈାରବ ରକ୍ଷା ନିମନ୍ତେ ପୁରାତନ ଛାତ୍ରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ପୁରାତନ ଛାତ୍ର ପରମାନନ୍ଦ ମହାରଣା, ଦୈତାରୀ ସେଠୀ, ପ୍ରତାପ ମହାନ୍ତି, ବିଶ୍ୱଜିତ ଦାସ, ପ୍ରଦୀପ ସାହୁ ପ୍ରମୁଖ ବହୁ ପୁରାତନ ଛାତ୍ର ଦାବି କରିଛନ୍ତି ।