ଆସନ୍ତା ୨୩,୨୪,୨୫ ତାରିଖରେ ଗଣ୍ଡକୂଳରେ ରାଜ୍ୟସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀ


ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଆସନ୍ତା ୨୩, ୨୪, ୨୫ ତାରିଖରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଠି ପାଇଁ ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଗଣ୍ଡକୁଳ ଜୟଗୁରୁ ଆଶ୍ରମ ସଭାପତି ସମାଜସେବୀ ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ଶହ ଶହ ଭକ୍ତ ଓ ଆଶ୍ରମ କର୍ମଚାରୀ ଦିନରାତି ଏକ କରି ଲାଗି ପଡିଛନ୍ତି । କେନ୍ଦ୍ରାପଡ଼ା ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ରାଜ୍ୟସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ସଫଳ କରିବାକୁ  ସମସ୍ତ ସହଯୋଗ ଯୋଗାଇ ଦେବାକୁ ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।  ଆଶ୍ରମ ମଧ୍ୟରେ ସାରସ୍ୱତ ସଂଘ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସାରା ଓଡିଶାରୁ ଆସୁଥିବା ଭକ୍ତ ମାନଙ୍କ ରହିବା ପାଇଁ ଆଶ୍ରମ ମଧ୍ୟରେ କୋଠରୀ ରହିଛି । ମହିଳା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶୋଇବା ପାଇଁ ଶତାଧିକ ଖଟ ନିର୍ମାଣ ସହିତ ଏକାଧିକ ପାଇଖାନା ଓ ଗାଧୁଆ ଘର ନିର୍ମାଣ କରାଯାଇଛି । ରାଜ୍ୟସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀ ପାଇଁ ଡିହାପଡା ପଂଚାୟତ ଓ ଗଣ୍ଡକୂଳ ଗାଁ ଚଳଚଞ୍ଚଳ ହୋଇପଡିଛି । ସମ୍ମିଳନୀ କମିଟି ସଭାପତି ସମାଜସେଵୀ ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ସମ୍ପାଦକ ଚିତ୍ତରଞ୍ଜନ ବାରିକ, ରମେଶ ନାୟକ, ଗଙ୍ଗାଧର ଦାସ, ଭଗବତ ନାୟକ, ସୌମେନ୍ଦ୍ର ଦାସ, ଶଶିକାନ୍ତ  ସ୍ଵାଇଁ, ବିବେକାନନ୍ଦ ପରିଡା, ଅକ୍ଷୟ ନାୟକ, ନିରାକାର ଖଟୁଆ, ବିଜଯ ଦାସ ପ୍ରମୁଖ ବହୁ କର୍ମକର୍ତ୍ତା ଓ ସମସ୍ତ ଗ୍ରାମବାସୀ ସମ୍ମିଳନୀ ସଫଳ ପାଇଁ ପୂର୍ଣ୍ଣପ୍ରାଣରେ ଲାଗି ପଡିଛନ୍ତି । ଠାକୁର ଶ୍ରୀ ଶ୍ରୀ ନିଗମନନ୍ଦ ସରସ୍ଵତୀଙ୍କୁ ପୂଜାର୍ଚନା ପରେ ଏକ ସୁସଜ୍ଜିତ ରଥରେ ଆସୀନ କରାଯାଇ ଘଣ୍ଟା, ଘଣ୍ଟା, ବାଜାବାଣ, ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ଶୋଭାଯାତ୍ରାରେ ମଣ୍ଡପଡା ଜୟଗୁରୁ ଆଶ୍ରମରୁ ଅଣାଯାଇ ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ ସ୍ଥାପନ କରାଯାଇଛି ।ଏହି ଶୋଭାଯାତ୍ରା ମଣ୍ଡପଡାରୁ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା ପରେ ଗଣ୍ଡକୁଳ ଆଶ୍ରମରେ ପହଞ୍ଚିଥିଲା । ବିଭିନ୍ନ ସ୍ଥାନରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ମହିଳାମାନେ ଶ୍ରୀ ଶ୍ରୀ ଠାକୁରଙ୍କ ପୂଜାର୍ଚନା କରିବା ସହିତ ଆଶ୍ରିବାଦ ଭିକ୍ଷା କରିଥିଲେ । ନୀଳାଚଳ ସାରସ୍ଵତ ସଂଘ ରାଜ୍ୟ ସଭାପତି ଗଗନେନ୍ଦ୍ର ମହାପାତ୍ର, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ବରିଷ୍ଠ କର୍ମକର୍ତ୍ତା ସୁଧୀର ଲେଙ୍କା, ବସନ୍ତ ସ୍ଵାଇଁ ପ୍ରମୁଖ ଗଣ୍ଡକୁଳରେ ପହଞ୍ଚି ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଆସନ୍ତା ଫେବୃଆରୀ ୨୩,୨୪,୨୫ ତାରିଖ ୩ ଦିନ ଦିନ ଧରି ଗଣ୍ଡକୂଳ ଜୟଗୁରୁ ଆଶ୍ରମରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ସରକାର ଓ ପ୍ରଶାସନ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ସହଯୋଗ କରିବାକୁ ଗଣ୍ଡକୂଳ ଜୟ ଗୁରୁ ସମ୍ମିଳନୀ ସଭାପତି ସମାଜ ସେବୀ ନିରଞ୍ଜନ ପଟନାୟକ, ସମ୍ପାଦକ ଚିତ୍ତରଞ୍ଜନ ବାରିକ, ଭାଗବତ ନାୟକ, ରମେଶ ନାୟକ, ବିବେକାନନ୍ଦ ପରିଡା,ଗଙ୍ଗାଧର ଦାସ, ନଳିନୀକାନ୍ତ ସ୍ଵାଇଁ ଓ ଅକ୍ଷୟ ନାୟକ ପ୍ରମୁଖ ନିବେଦନ କରିଛନ୍ତି ।

Go back

Your message has been sent

Warning
Warning
Warning
Warning

Warning.


Discover more from

Subscribe now to keep reading and get access to the full archive.

Continue reading