
କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ରବିବାର ଦିନ ୨ ଟା ସମୟରେ ବାବୁବାଲି ଠାରୁ ୫ କିମି ଦୂର ନିଶିନ୍ଧାଂଚଳରେ ଚଣ୍ଡୀ ତାରେଣୀ ନାମକ ଟ୍ରଲର ମାଛ ମାରୁଥିଲେ । ଖବର ପାଇ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ସେଠରେ ଚଢ଼ାଉକରିଥିଲେ । ବେଆଇନ ଭାବେ ମାଛ ଧରୁଥିବା ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ କାବୁ କରି କୂଳକୁ ଆଣୁୁଥିଲେ । ଏହି ଖବର ଭିଏଚଏଫ ଦ୍ୱାରା ଅନ୍ୟ ଟ୍ରଲର ମାନେ ଜାଣି ୬ଟି ଟ୍ରଲର ସଂଘବଦ୍ଧ ଭାବେ ବନ ବିଭାଗର ପେଟ୍ରୋଲିଂ ବୋଟକୁ ବୁଡ଼େଇବା ଉଦ୍ଦେସ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ବନବିଭାଗ କାବୁ କରିଥିବା ତାରେଣି ଟ୍ରଲର ସହ ୯ ଜଣ ଆଶାମୀଙ୍କୁ ନେଇ ପଳାଉଥିଲେ। ବନ ବିଭାଗ ତରଫରୁ ଫାଙ୍କା ଗୁଳି ଚାଳନା କରାଯିବାରୁ ସେମାନେ ଟ୍ରଲର ସହ ଡ୍ରାଇଭରକୁ ଛାଡି ବାକି ୮ଜଣ ଆସାମୀଙ୍କୁ ନେଇ ପଳାଇଥିଲେ। ବନ ବିଭାଗ ଦ୍ୱାରା ଚଣ୍ଡୀ ତାରେଣୀ ଟ୍ରଲରକୁ ସିଜ କରାଯିବା ସହ ଜଣେ ଡ୍ରାଇଭରକୁ କାବୁ କରାଯାଇଛି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି ।

