
କେନ୍ଦ୍ରାପଡା, ୯/୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନବୋଦୟ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଗଣଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ସହିତ ଭାରତୀୟ ଫୁଟବଲ ଫେଡେରସନ୍(ଏଆଇଏଫ୍ଏଫ୍) ଓ ଆନ୍ତର୍ଜାତୀୟ ଫୁଟବଲ ଫେଡେରେସନ୍(ଫିଫା)ର ମିଳିତ ଆନୁକୂଲ୍ୟରେ ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ୧୯୪ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମୁଦାୟ ୯୪୨ଟି ଫିଫା ଫୁଟବଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ରପ୍ରସାଦ ସାହୁ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ବିଧାୟକ ଅଲେଖ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଓ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରିଣୀ ସ୍ମିତା ସାହୁ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ପିଲାମାନଙ୍କୁ ଫୁଟବଲର ଉପକାରିତା, ଫୁଟବଲ ଖେଳ କିପରି ଶାରୀରିକ ଗଠନ ଓ ପାଠପଢା ପ୍ରତି ପିଲାମାନଙ୍କ ଆଗ୍ରହ ବଢାଏ ତାହା ବିଷୟରେ ସଚେତନ କରାଇଥିଲେ । ଫୁଟବଲ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ବଢିବା ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଭାରତର ଦେଢଲକ୍ଷ ସ୍କୁଲମାନଙ୍କରେ ୧୧ଲକ୍ଷରୁ ଅଧିକ ଫିଫା ଫୁଟବଲ ବଣ୍ଟାଯାଇ ଏହାର ଲାଭ ଉଠାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ । ପ୍ରଥମେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବାବେଳେ ଶେଷରେ ଉପାଧ୍ୟକ୍ଷ ଶଶିକାନ୍ତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ରାମହରି ଶିଆଳ, ରାଜେଶ ଘଡାଇ, ଦିଲ୍ଲୀପ କୁମାର ମହାନ୍ତି, ସୁବାଷ ଚନ୍ଦ୍ର ସୂତାର, ପ୍ରଦୀପ ଲେଙ୍କା, ଶଶଧର ମଲ୍ଲିକ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

