କେନ୍ଦ୍ରାପଡାରେ ଗଡିଲା ଲକ୍ଷ୍ମୀ ବସ୍‌


କେନ୍ଦ୍ରାପଡ଼ା,୧୬ା୨: ଓଡିଶାର ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଗମନାଗମନରେ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ଗଡିଥିବା ବେଳେ ଆଜି କେନ୍ଦ୍ରାପଡାରେ ଲକ୍ଷ୍ମୀ ବସ୍ ଗଡିଲା । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବସ୍ ସଂଯୋଗ ସୁନିଶ୍ଚିତ କରିବା ସହ ସୁଲଭ ଓ ନିର୍ଭର ଯୋଗ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନା ପାଇଁ କେନ୍ଦ୍ରାପଡାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ମନରେ ଅଙ୍କୁରିତ ହୋଇଛି ଆଶା ଓ ବିଶ୍ୱାସ । ପଞ୍ଚାୟତର ଅର୍ଥନୀତିକୁ ଗତିଶୀଳ କରିବା ସହ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଶକ୍ତ କରିବା ଏବଂ ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ଏହି ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରୋତ୍ସାହନ ମିଳିବ ବୋଲି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଆଭାସୀ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ଆଭାସୀ ମାଧ୍ୟମରେ କରାଯିବା ପରେ କେନ୍ଦ୍ରାପଡା ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡିଛି । ଏହି ଅବସରରେ ଭୁବନେଶ୍ୱରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଓ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ମଞ୍ଚାସୀନ ଥିଲେ । କେନ୍ଦ୍ରାପଡାକୁ ଶୀତତାପ ନିୟନ୍ତ୍ରଣ ବିହୀନ ୩୬ଟି, ଶୀତତାପ ନିୟନ୍ତ୍ରଣ ୮ଟି ଏବଂ ୩ଟି ସାଧାରଣ ଏହିଭଳି ୪୭ଟି ବସ୍ ଯୋଗାଇ ଦିଆଯିବାର ଲକ୍ଷ୍ୟ ମଧ୍ୟରୁ ଆଜି କେନ୍ଦ୍ରାପଡା କଲେଜ ସ୍ଥଳରୁ ୧୪ଟି ବସ୍ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାତ୍ରା ଆରମ୍ଭ କରିଛି ବୋଲି ଓଡିଶା ରାଜ୍ୟ ସଡକ ନିଗମର ମ୍ୟାନେଜର ସୂଚନା ଦେଇଛନ୍ତି । ଲକ୍ଷ୍ମୀ ବସ୍‌ରେ ମହିଳାମାନେ ପଞ୍ଚାୟତରୁ ବ୍ଲକକୁ ମାତ୍ର ୫ଟଙ୍କା ଦେଇ ଯାତାୟତ କରିପାରିବେ । ଫଳରେ ଗ୍ରାମାଞ୍ଚଳର ଛାତ୍ରୀ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ତଥା ମହିଳା କୃଷକମାନେ ସୁଲଭ ମୂଲ୍ୟରେ ସହରାଞ୍ଚଳକୁ ଯାତ୍ରା କରିପାରିବେ । ଲକ୍ଷ୍ମୀ ବସ୍ ଯାତ୍ରୀ ଓ ସଡକ ସୁରକ୍ଷାକୁ ଗୁରୁତ୍ୱ ଦେଇ ମହିଳାମାନଙ୍କୁ ସଶକ୍ତ ଓଡିଶା ଗଠନରେ ଭାଗିଦାରୀ କରାଇବ । ଆଜିର କେନ୍ଦ୍ରାପଡା କଲେଜ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ ବିଭିନ୍ନ ବ୍ଲକର ବି.ଡି.ଓ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତିର ସଦସ୍ୟା ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିôଲେ ।


Discover more from

Subscribe now to keep reading and get access to the full archive.

Continue reading