
କେନ୍ଦ୍ରାପଡ଼ା, ୫ା୩: ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ କୁମାର ପ୍ରଧାନ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଂଟା ପଂଚାୟତ ସିମୁଳିଆ ଗ୍ରାମର ପରିକ୍ଷୀତ ସ୍ୱାଇଁଙ୍କ ସମେତ ୫ଜଣ ଏକ ଜମିବାଡି ବିବାଦକୁ ନେଇ ଗତ ୨୦୨୦ ମସିହା ମଇମାସ ୨୯ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ସେହି ଗ୍ରାମର ଭାଗିରଥୀ ସ୍ୱାଇଁଙ୍କ ପତ୍ନୀ କୁସୁମ ସ୍ୱାଇଁ ଓ ତାଙ୍କ ପୁଅ ଦେବ ପ୍ରସାଦ ସ୍ୱାଇଁ ଏବଂ ବୋହୁ ମୀରା ପ୍ରିୟଦର୍ଶିନୀ ସ୍ୱାଇଁଙ୍କୁ ଏକ ହଂସୁଆ କଟୁରୀ ସାହାଯ୍ୟରେ ମରଣାନ୍ତଙ୍କ ଆକ୍ରମଣ କରି ଥିବା ବେଳେ ଘଟଣାସ୍ଥଳରେ କୁସୁମ ସ୍ୱାଇଁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ । ଏଥିସହିତ ତାଙ୍କ ପୁଅ ଦେବ ପ୍ରସାଦ ସ୍ୱାଇଁଙ୍କ ହାତକୁ ହାଣି ଅଲଗା କରିଦେଇଥିବା ବେଳେ ବୋହୁ ମୀରାପ୍ରିୟଦର୍ଶିନୀ ସ୍ୱାଇଁଙ୍କ ପେଟକୁ ହାଣି ଅନ୍ତବୁଜୁଳା ବାହାର କରିଦେଇଥିଲେ । ଏଥିରେ ସେମାନଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଗ୍ରାମର ୱାର୍ଡମେମ୍ବର ଭଗବାନ ଜେନାଙ୍କ ଲିଖିତ ଅଭିଯୋଗ ଉପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ୧୮୮/୨୦୨୦ରେ ଆଇ.ପି.ସି.ର ୩୪୧, ୩୦୨,୩୦୭,୩୨୬,୨୯୪, ୫୦୬ ଓ ୩୪ଦଫା ଏବଂ ୨୫ ଆର୍ମସ ଆକ୍ଟରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ ହେବା ପରେ ବିଚାର ଆରମ୍ଭ ହୋଇଥିଲା । ଏସଟି କେଶ ନମ୍ବର-୨୧/୨୦୨୧ରେ ସେହି ମାମଲାର ବିଚାର କରି ୨୮ଜଣଙ୍କ ଠାରୁ ସାକ୍ଷୀକୁ ଆଧାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ କୁମାର ପ୍ରଧାନ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସିମୁଳିଆ ଗ୍ରାମର ସ୍ୱର୍ଗତ ନଟବର ସ୍ୱାଇଁଙ୍କ ପୁଅ ପରିକ୍ଷୀତ ସ୍ୱାଇଁ(୬୩), ପରିକ୍ଷୀତ ସ୍ୱାଇଁଙ୍କ ପତ୍ନୀ ନଳିନୀପ୍ରଭା ସ୍ୱାଇଁ(୫୩), ପୁଅ ଶିବପ୍ରସାଦ ସ୍ୱାଇଁ(୩୯), ଜ୍ୱାଇଁ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଲୋକନାଥପୁର ଗ୍ରାମର କିଶୋର କୁମାର ଜେନା(୪୨) ଓ ଧରମପୁଅ ପାଟକୁରା ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଦିଲ୍ଲିପ ନାୟକ(୪୨)ଙ୍କୁ ୩୦୨ ଏବଂ ୩୦୭ଦଫାରେ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହ ୩୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ କୋର୍ଟରେ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ମାମଲାର ପରିଚାଳନା କରୁଥିଲେ ।











