ମାର୍ଚ୍ଚ ୧୧ ଓ ୧୨ରେ ଓଷ୍ଟାର ସଂକଳ୍ପ ସମାବେଶ ନିଆଯିବ ଚରମ ନିଷ୍ପତ୍ତି

ମାର୍ଚ୍ଚ ୧୧ ଓ ୧୨ରେ ଓଷ୍ଟାର ସଂକଳ୍ପ ସମାବେଶ ନିଆଯିବ ଚରମ ନିଷ୍ପତ୍ତି


କେନ୍ଦ୍ରାପଡ଼ା, ୯ା୩: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମାର୍ଚ୍ଚ ୧୧ ଓ ୧୨ ଦୁଇଦିନ ଧରି ସଂକଳ୍ପ ସମାବେଶ ହେବ ବୋଲି ସୂଚନା ଦିଆଯାଇଛି । ଏହି ସମାବେଶରେ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ନିଷ୍କ୍ରିୟତା ଓ ଅବହେଳା ପ୍ରତିବାଦରେ ଚରମ ନିଷ୍ପତ୍ତି ନିଆଯିବ ବୋଲି ଆହୂତ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ନେତୃବୃନ୍ଦ ସୂଚନା ଦେଇଥିଲେ । କେନ୍ଦ୍ରାପଡା ପ୍ରବେଶ ପଥ ଦୁହୁରିଆସ୍ଥିତ ଓଷ୍ଟା ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ସଂଗଠନର ନିଷ୍ପତ୍ତି ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ । ଦୀର୍ଘ ଏକମାସରୁ ଉର୍ଦ୍ଧ୍ୱ ସମୟ ହେବ ସଂଗଠନର ଆହ୍ୱାନରେ ରାଜ୍ୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଅହୋରାତ୍ର ଧାରଣା ଦେଇ ଚାଲିଛନ୍ତି । ପାଞ୍ଚଟି ଦାବି ପ୍ରତି ସରକାର ଅଣଦେଖା କରୁଥିବାରୁ ଚଳିତ ମାସ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରରେ ସମାବେଶ ଅନୁଷ୍ଠିତ ହେବ । ଦାବିଗୁଡିକ ହେଉଛି, ୧୯୪ ଯୋଗ୍ୟ ବିବେଚିତ ସମସ୍ତ ହାଇସ୍କୁଲକୁ ଅନୁଦାନ ପ୍ରଦାନ କରାଯିବା, ୨୬୦୮ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅବସର ନେଉଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ସହ ପୁରୁଣା ପେନ୍‌ସନ ପ୍ରଦାନ କରିବା, ୬୫୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ କରିବା ସହ ଖାଲି ପଡିଥିବା ଶିକ୍ଷକ ଓ କର୍ମଚାରୀ ପଦରେ ନିଯୁକ୍ତି ପ୍ରଦାନ, ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା, ୨୦୦୪ ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷିକାମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ସହ ୬ ବର୍ଷର ଚୁକ୍ତିଭିତ୍ତିକ ଚାକିରି ସମୟକୁ ମୂଳ ଚାକିରିରେ ଗଣନା କରାଯିବା ଆଦି ଦାବିଗୁଡିକ ରହିଛି । ଚଳିତ ମାସ ୧୦ ତାରିଖ ସୁଦ୍ଧା ଏହି ଦାବିଗୁଡିକ ସରକାର ପୂରଣ ନ କଲେ ୧୧ ଓ ୧୨ ତାରିଖରେ ସମାବେଶ ଅନୁଷ୍ଠିତ ହେବା ସହ ଆଗାମୀ ମାଟ୍ରିକ ଖାତା ମୂଲ୍ୟାୟନ କାର୍ଯ୍ୟକୁ ବର୍ଜନ କରିବା ଓ ଆଗାମୀ ନିର୍ବାଚନ ପରିଚାଳନାରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅସହଯୋଗ କରିବେ ବୋଲି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ବ୍ଲକ ସମ୍ପାଦକ ଭଗବାନ ସାହୁ, ଅଲେଖ ଚନ୍ଦ୍ର ମହାନ୍ତି, ବାବାଜୀ ଚରଣ ଦାସ, ଜିଲ୍ଲା ଉପସଭାପତି ଅନ୍ନପୂର୍ଣ୍ଣା ସାହୁ, କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, ପଙ୍କଜ କୁମାର ବେହୁରା, ବିପିନ ଚରଣ ବେହୁରା, ରବିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।