ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : କଂଗ୍ରେସର ଗ୍ୟାରେଣ୍ଟି- ସୁଖି ଓଡିଶା ସମୃଦ୍ଧ ଓଡିଶା


କେନ୍ଦ୍ରାପଡ଼ା, ୨୩ା୩: ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ କଂଗ୍ରେସର ଇସ୍ତାହାର ହେଉଛି କଂଗ୍ରେସର ପବିତ୍ର ପ୍ରତିଶୃତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନେଇ ଇସ୍ତାହାର ପ୍ରସ୍ତୁତ କରିଛି । ଗତ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ, ତତ୍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟାନାୟକ ଓ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାରଙ୍କ ଦ୍ୱାରା ପ୍ରକାଶ କରାଯାଇଛି । ୯ ଗ୍ୟାରେଣ୍ଟି ଓ ୯୦ ସଂକଳ୍ପ ବିଶିଷ୍ଟ ଇସ୍ତାହାର ସବୁ ଶ୍ରେଣୀ ଓ ସବୁ ବର୍ଗର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ । ୯ ଗ୍ୟାରେଣ୍ଟି ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ ବୋନସ୍ ସହ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩ହଜାର ଟଙ୍କା, କୃଷିଋଣ ଛାଡ, କୃଷକ ପାଇଁ ମାସିକ ପେନ୍‌ସନ୍ ୨ହଜାର ଟଙ୍କା, ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ଲକ୍ଷ ଯୁବକ/ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ହଜାର ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ଭତ୍ତା ୨ହଜାର ଟଙ୍କା, ପ୍ରତି ପରିବାରକୁ ମାସକୁ ୫ଶହ ଟଙ୍କାରେ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨ହଜାର ଟଙ୍କା, କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ ଓ ଆର୍ôଥକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ୍ ହଳଦି ଦିଆଯିବା, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ପଛୁଆ ବର୍ଗ ପାଇଁ ଜାତି ଜନଗଣନା ସହ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଇସ୍ତାହାରରେ କୁହାଯାଇଥିବା ସମସ୍ତ ଗ୍ୟାରେଣ୍ଟିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ସେ ନିବେଦନ କରି କହିଥିଲେ ଯେ ରାଜ୍ୟବାସୀ କଂଗ୍ରେସର ଇସ୍ତାହାରକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତ୍ତନ ଆଣିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ନବନିଯୁକ୍ତ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ଯୁବନେତା ଇଂ ସିଦ୍ଧାର୍ଥସ୍ୱରୂପ ଦାସ, ଯୁବ କଂଗ୍ରେସ ନେତା ସତ୍ୟପ୍ରିୟ ସାମଲ ଓ ଜିଲ୍ଲା ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନବ ନିଯୁକ୍ତ ପିସିସି ଉପସଭାପତି ଶ୍ରୀ ବେହୁରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବିଜେଡି ଦଳ ଛାଡି ଆସିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ପରକୁଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦିପ୍ତୀମୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ହିରଣ୍ୟ ମିଶ୍ର ଓ ବିଜୟନଗର ପଞ୍ଚାୟତର ଚନ୍ଦ୍ରକାନ୍ତ ସାମନ୍ତରାୟ, ପ୍ରତାପ ଦାସ, ସୁନୀଲ ଦାସ, ବଣ୍ଟି ଦାସ, କୁନୁ ଦାସ, ତୋଫା ଜେନା, କାଞ୍ଚନ ଦାସ, ସାନୁ ଦାସ, ବନପାଣି ଦାସ, ବୁଲୁ ଦାସ, ପିଣ୍ଟୁନା ଦାସ ଓ ଅଶିଷ ଦାସଙ୍କୁ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ଉମାଶଙ୍କର ଜେନା, ରତିକାନ୍ତ ସାମଲ, ଗଣେଶ ମେକାପ, ପ୍ରଶାନ୍ତ ରାଉତ, ମୀର ମୁରସିଦ୍‌, ବସନ୍ତ କୁମାର ସେଠୀ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading