
କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ବୈଠକ ଆଜି ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିଷଦ ଗଠନର ଆଭିମୁଖ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ପରିଷଦର ପ୍ରତିବଦ୍ଧତା କୁ ସ୍ପଷ୍ଟ କରିଥିଲେ । ଜିଲ୍ଲାର ସବୁବର୍ଗର ବ୍ୟକ୍ତି ଏଥିପାଇଁ ସମ୍ମିଳିତ ହେବାକୁ ସେ ପରିଷଦ ପକ୍ଷରୁ ଆବେଦନ କରିଥିଲେ । ପରିଷଦର ଉପସଭାପତି ଅମ୍ବିକା ପ୍ରସାଦ ଦାସ ବକ୍ତବ୍ୟ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ସଂସ୍କୃତି ଭବନର ଭିତ୍ତିଭୂମି ପକାଇବା ଠାରୁ ଆରମ୍ଭ କରି କଟକ-ଚାନ୍ଦବାଲି ରାସ୍ତାର ପ୍ରଶସ୍ତିକରଣ ଆଦି କାର୍ଯ୍ୟ ଯାଏ ଅନେକ ବିକାଶ ମୂଳକ କାର୍ଯ୍ୟର କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପ୍ରମୋଟର ଭାବେ କାର୍ଯ୍ୟ କରିଛି । ପରିଷଦର ଉଦ୍ୟମ ଫଳରେ ଶ୍ରୀବଳଦେବଜୀଉଙ୍କ ଭୂସମ୍ପତ୍ତି ପୁନଃଉଦ୍ଧାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସରକାରଙ୍କ ଉଚ୍ଛାଶକ୍ତିର ଅଭାବ ଯୋଗୁ ତାହା ଆଗକୁ ବଢିପାରିନାହିଁ । ତେବେ ଜିଲ୍ଲାର ବିକାଶ ନେଇ ପରିଷଦ ପକ୍ଷରୁ ପ୍ରସ୍ତୁତ ଭିଜନ ଡ଼କ୍ୟୁମେଣ୍ଟ କୁ କାର୍ଯ୍ୟକାରୀ କରାଇବା ସକାଶେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଜିଲ୍ଲାର ସବୁବର୍ଗର ଲୋକେ ବ୍ୟକ୍ତଗତ ସ୍ୱାର୍ଥରୁ ଉଦ୍ଦ୍ୱର୍ରେ ରହି ଏକାଠି ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀଦାସ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଶିକ୍ଷାବିତ୍ ଅଜୟ ସାମଲ ,ଶିକ୍ଷାବିତ୍ ନନ୍ଦ କିଶୋର ପରିଡ଼ା,ଗବେଷକ ଡ଼. ବାସୁଦେବ ଦାସ,ପୂର୍ବତନ ପୌରାଧ୍ୟକ୍ଷ ଧିରେନ୍ କୁମାର ସାହୁ,ବାମପନ୍ଥୀ ନେତା ଗୟାଧର ଧଳ,ରମଣୀ ରଂଜନ ରାଉତରାୟ,ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ,ସମାଜସେବୀ ମୁକ୍ତାର ଖାଁ ପ୍ରମୁଖ ଜିଲ୍ଲାର ବିକାଶ ସମ୍ମଳିତ ବିଭିନ୍ନ ପ୍ରସ୍ତାବ ରଖିବା ସହିତ ଏଥିପାଇଁ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଦେଇଥିଲେ । ପରିଷଦର ସଂଯୋଜକ ଅମୀୟ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ବୈଠକରେ ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ଶିକ୍ଷାବିତ୍ ନିତ୍ୟାନନ୍ଦ ସାହୁ, ପ୍ରଫେସର ସରୋଜ କୁମାର ମହାନ୍ତି, ଇଂ କିଶୋର ଚନ୍ଦ୍ର ସ୍ୱାଇଁ, ନଟବର ସେନାପତି, ବରିଷ୍ଠ ସମାଜସେବୀ ହେମନ୍ତ କୁମାର ଜେନା, ସମିରଂଜନ ଦାସ, ଆଇନଜୀବି ସଂଜୟ କୁମାର ଜେନା, ଯୁବ ସମାଜସେବୀ ହିରଣ୍ୟ କୁମାର ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ । ପ୍ରଶାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକର ଆନୁଷ୍ଠାନିକ ଉଦ୍ଘାଟନ ପରେ ଗୋକୁଳ ଚନ୍ଦ୍ର ସଂଗୀତ ସଦନର ଛାତ୍ରୀମାନେ ନୃତ୍ୟଗୁରୁ ଭାନୁପ୍ରିୟା ଖଟୁଆଙ୍କ ନେତୃତ୍ୱରେ ଚିତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉମାକାନ୍ତ ଜେନା, ଭାନୁପ୍ରିୟା ଖଟୁଆ,ଲକ୍ଷ୍ମୀକାନ୍ତ ନାୟକ,ଗୌତମ ସାହୁ,ଅଭିମନ୍ୟୁ ନାୟକ,ଲୋପିତା ପଲାଇ ପ୍ରମୁଖ ସହଯୋଗ କରିଥିଲେ ।
















