
ଦିନରେ ଘୁଷୁରି ପାଳନ, ରାତିରେ ଚୋରି
କେନ୍ଦ୍ରାପଡ଼ା,୨୭ା୩ : ଜିଲ୍ଲାର ବିଭିନ୍ନ ସ୍ଥାନରୁ ଘର ତାଡି ଡକାୟତି କରିବା ଅଭିଯୋଗରେ କେନ୍ଦ୍ରାପଡା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦିନରେ ଘୁଷୁରି ପାଳନ କରି ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ରାତିହେଲେ ସେମାନେ ଏକାଠି ହୋଇ ଘରେ କେହି ନଥିବାର ସୁଯୋଗ ନେଇ ଘର କବାଟ ତାଡି ସମସ୍ତ ଅଳଙ୍କାର ନଗଦ ଟଙ୍କା ଓ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିଲେ । କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶରେ ଜିଲ୍ଲାର ଦୁଇଜଣ ଏସଡିପିଓ ଓ ସମସ୍ତ ଆଇଆଇସିମାନଙ୍କୁ ନେଇ ଏକ ସ୍ପେସାଲ ସ୍କ୍ୱାର୍ଡ ଗଠନ କରି ଏହି ଘଟଣାର ପର୍ଦାଫାସ କରିଥିଲେ । ଏହି ଘଟଣାରେ ପ୍ରଥମେ ରାଜନଗର ଲକ୍ଷଣ ଦାସଙ୍କୁ ଗିରଫ କରିବା ପରେ ତା ଠାରୁ ସୁରାଗ ପାଇ ଅନ୍ୟ ସମସ୍ତଙ୍କୁ ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।
ପଟ୍ଟାମୁଣ୍ଡାଇ ଥାନା ମୂଳବସନ୍ତ ଗ୍ରାମ ସରକାରୀ ଓକିଲ ଭୀମସେନ ପ୍ରଧାନଙ୍କ ଘରୁ ଡକାୟତି ହୋଇଥିବା ଘଟଣାରେ କେନ୍ଦ୍ରାପଡା ପୋଲିସ ଛଅଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତିନିଜଣ ଡକାୟତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅନ୍ତର୍ଗତ ଅବ୍ଜୁନା ଗ୍ରାମର ରଞ୍ଜନ ଦାସ, ବବିନା ଦାସ, ବାପୁନ ଦାସ ହୋଇଥିବା ବେଳେ ଚୋରି ସାମଗ୍ରୀ ଜବତ କରାଯାଇଥିବା ବ୍ୟବସାୟୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚାହାପଡା ଗ୍ରାମର ରାମଚନ୍ଦ୍ର ସାହୁ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଏମା ଗ୍ରାମର କାର୍ତ୍ତିକ ସାହୁ । ଏମାନଙ୍କ ନିକଟରୁ ୪୮ହଜାର ଟଙ୍କା, ପଲ୍ସର ମୋଟର ସାଇକେଲ, ୨ଟି ମୋବାଇଲ ଫୋନ, ୧୬ଟି ସୁନା ମୁଦି, ୩ଟି ସୁନା କାନଫୁଲ, ୩ଟି ସୁନା ଶଙ୍ଖା, ୯ଟି ସୁନା ଲକେଟ୍, ୨ଟି ସୁନା ନୋଳି, ୧ଟି ସୁନା ମଙ୍ଗଳସୂତ୍ର, ୧ଟି ସୁନା ହାର, ୧ଟି ସୁନା ଚେନ୍, ୪ଟି ସୁନା ଚୁଡି ସହିତ ଅନ୍ୟାନ୍ୟ ରୂପା ଅଳଙ୍କାର ଜବତ କରାଯାଇଛି ବୋଲି କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିଆ ସୋମବାର ପୂର୍ବାହ୍ନରେ ସୂଚନା ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ଚଳିତ ମାସ ୧୬ ତାରିଖରେ ଆଇନଜିବୀ ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରି ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ସୁନାଗହଣା ନଗଦ ଟଙ୍କା ଲୁଟି ନେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଆଘାତ ବହୁତ ଗହିରା ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା । ଏହି ଡକାୟତି ସମ୍ପର୍କରେ ଆଇନଜୀବୀ ପ୍ରଧାନ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ କେସ ନମ୍ବର ୮୯/୨୦୨୪ ରେ ୪୫୭, ୩୯୫ ଆଇପିସି ଦଫାରେ ମାମଲା ରୁଜୁ କରି ତଦନ୍ତ କରିଥିଲେ । ୨୩/୦୩/୨୦୨୪ ତାରିଖରେ ରାଜନଗର ଥାନା ପଟ୍ଟାମୁଣ୍ଡାଇ ଥାନା ମାଟିଆ ଗ୍ରାମର ଲକ୍ଷ୍ମଣ ଦାସଙ୍କୁ ରାଜନଗର ଥାନା ମାମଲା ନଂ-୫୪୯ରେ ଗିରଫ କରି ପଚରା ଉଚରା କରିବାରୁ ଉପରୋକ୍ତ ଡକାୟତି ସମ୍ପର୍କରେ ସୁରାଗ ପାଇଥିଲେ । ଏହାକୁ ଆଧାର କରି ପୋଲିସ ଏକ ଦଳ ଡକାୟତିରେ ଜଣେ ମହିଳାଙ୍କ ସମେତ ସଂପୃକ୍ତ ତିନିଜଣ ଏବଂ ଦୁଇଜଣ ଡକାୟତି ଜିନିଷ ରଖିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଡକାୟତମାନେ ସବାଖିଆ କେଳା ନାମରେ ଦିନରେ ଘୁଷୁରି ପାଳନ କରିବା ସହିତ ଭିକ ମାଗି ଚଳନ୍ତି । ରାତିରେ ଚୋରି ଡକାୟତି କରନ୍ତି ବୋଲି ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଅଭିଯୁକ୍ତ ଡକାୟତମାନଙ୍କ ନାମରେ ବିଭିନ୍ନ ଥାନାରେ ୯ଟି ମାମଲା ଥିବାର ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ଥାନାର ଉପଖଣ୍ଡ ଆରକ୍ଷୀ ଅଧିକାରୀ କ୍ଷମାସାଗର ପଣ୍ଡା ଓ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଦିଲ୍ଲୀପ କୁମାର ସାହୁ, କେନ୍ଦ୍ରାପଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ସରୋଜ କୁମାର ସାହୁ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରଞ୍ଜିତ ମହାନ୍ତିଙ୍କ ସମତେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।











