ରାମଚଣ୍ଡୀ ପୀଠର ଆୟ ବ୍ୟୟର ସ୍ୱତନ୍ତ୍ର ଅଡ଼ିଟ ଓ ଭୁସମ୍ପତ୍ତି ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

RAMCHANDI PITHARA AYABYYARA SWATANTRA AUDIT O BHU SAMPATI UDHAR PAIN ZILAPALANKU DABIPATRA-min


କେନ୍ଦ୍ରାପଡ଼ା, ୩୦ା୧୨: ଦରିଆ ରାମଚଣ୍ଡୀ ପୀଠ, ରାମନଗର ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ ଭାବେ ରାଜା ରାଜୁଡ଼ା ସମୟରୁ ଜଣାଶୁଣା ରହିଛି । ଆଉ ୧୯୭୨ ମସିହା ଠାରୁ ଏହି ପୀଠ ଦେବୋତ୍ତର ବିଭାଗ ଅଧୀନରେ ରହି ଆସିଛି। କିନ୍ତୁ ନିୟମ ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ନୂଆ ଟ୍ରଷ୍ଟବୋର୍ଡ ଗଠନ ହେବା କଥା। ହେଲେ ଦିର୍ଘ ବର୍ଷ ଧରି ଏହି ନିୟମକୁ ପାଳନ କରାଯାଉନାହିଁ। ଅର୍ଥାତ ଜଣେ ବ୍ୟକ୍ତି ୨୦୧୪ ମସିହାରୁ ଏହି ଦାୟିତ୍ୱରେ ରହିଥିଲେ। ବିଭିନ୍ନ ସୂତ୍ରରୁ ମିଳିଥିବା ଜମିକୁ ହିସାବକୁ ନେଲେ ଠାକୁରାଣୀଙ୍କ ଭୁସମ୍ପତ୍ତି ପ୍ରାୟ ୨୨୦ ଏକରରୁ ଅଧିକ ହୋଇଥିବା ବେଳେ ବର୍ତ୍ତମାନ ସେଥିରୁ ପ୍ରାୟ ୯୦ ଭାଗ ଜମି ଜବର ଦଖଲରେ ରହିଛି । ସ୍ଥାନୀୟ ପ୍ରଶାସନକୁ ହାତ ବାରିସୀ କରି ଭୁସମ୍ପତ୍ତି ବ୍ୟତୀତ ମନ୍ଦିରରେ ଅନୁଷ୍ଠିତ ହେଉଥିବା ବିବାହ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରାମଚଣ୍ଡୀ ମେଳା (ପଣା ସଂକ୍ରାନ୍ତି) ଇତ୍ୟାଦି ବିଭିନ୍ନ ସୂତ୍ରରୁ ରୋଜଗାର ହେଉଥିବା ବେଳେ ବର୍ଷ ବର୍ଷ ଧରି ଆୟ ବ୍ୟୟର ଅଡ଼ିଟ କରା ଯାଇନାହିଁ। ଯାହା ସୁଚାଉଛି ବଡ଼ ଧରଣର ଲୁଟ ହୋଇଛି। ଏତତ୍ ବ୍ୟତୀତ ୧୯୭୨ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିରର ଆୟବ୍ୟୟ ଉପରେ ସ୍ୱତନ୍ତ୍ର ଅଡ଼ିଟ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରାଯିବା ସହ ଠାକୁରାଣୀଙ୍କ ୨୨୦ ଏକର ଜମି ଉଦ୍ଧାର କରାଯିବା ଏବଂ ଜମି ଜବରଦଖଲ କାରୀ ଓ ଏହି କାର୍ଯ୍ୟରେ ସହଯୋଗ କରିଥବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଗତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ଏଥିସହିତ ସୂଚନା ଅଧିକାର ଅଭିଜାନର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସମାଜସେବୀ ହରେକୃଷ୍ଣ ପାତ୍ର, ସୁବ୍ରତ ସେଠୀ, ପ୍ରଭାତ ରଞ୍ଜନ ଜେନା, ନଗେନ୍ଦ୍ର ଜେନା, ବିଘ୍ନେଶ ସେଠୀ, ଅମିତାଭ ଚାନ୍ଦ, ନିରଞ୍ଜନ ପରିଡା, ସନ୍ତୋଷ ପୋଥାଳ, ମୃତ୍ୟଞ୍ଜୟ ପରିଡା, ଭୀମସେନ ସେଠୀ ପ୍ରମୁଖ ଏ ନେଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ଏହି ଅଭିଯୋଗର ନକଲ ଦେବୋତ୍ତର ଆୟୋଗ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।