
କେନ୍ଦ୍ରାପଡା,୧୧/୪- ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣମହୋତ୍ସବ ଇଦ୍-ଉଲ୍-ଫିତର ଆଜି କେନ୍ଦ୍ରାପଡା ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ସକାଳ ୮ଟା ଠାରୁ ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପୁରୁଣା ଇଦ୍ଘା ମଜଜିଦ୍, ନୂଆ ଇଦ୍ଘା ମଜଜିଦ୍, ହାଇସ୍କୁଲ ପାଖ ମଜଜିଦ୍,ଦିଲାରପୁର ମସଜିଦ୍,ଫକିରାବାଦ୍ ମଜଜିଦ୍, ମିରପାଟଣା ମସଜିଦ୍,ବଡହାଟ ମଜଜିଦ୍, କଜଳା ମସଜିଦ୍, ଗରାପୁର ମସଜିଦ୍ରେ ସମୂହ ପ୍ରାର୍ଥନା କରାଯାଇ ଆନନ୍ଦ ଉଲ୍ଲାସରେ ଇଦ୍ ପର୍ବ ପାଳନ କରାଯାଇଥିଲା ।
ଗୋଟିଏ ମାସ ସୂର୍ଯ୍ୟୋଦୟ ପୂର୍ବରୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ରୋଜା ପାଳନ କରିବା ସହିତ ଦିନସାରା ଉପବାସ ରହିଥାନ୍ତି ଓ ସନ୍ଧ୍ୟାରେ ସୂର୍ଯ୍ୟାସ୍ତପରେ ଉପବାସ ପରିହାର କରି ଖାଦ୍ୟ ଗ୍ରହଣ କରିଥାନ୍ତି । ରମଜାନର ଓସା ଓ ତରାବି ୨୯ଦିନରେ ପାଳନ କରି ଗତକାଲିି ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ହେବାରୁ ଆଜି ଇଦ୍-ଉଲ-ଫିତର ପର୍ବ ପାଳନ କରାଯାଇଥିଲା । ଏହି ଅବସରରେ ଧନୀ ଲୋକମାନେ ଗରିବ ଲୋକମାନଙ୍କୁ ଯକ୍ରାତ ଓ ପିତରା ବଣ୍ଟନ କରିଥିଲେ । ଯାହା ଫଳରେ କି ଗରିବ ଲୋକମାନେ ମନ ଖୁସିରେ ଇଦ୍ପର୍ବ ପାଳନ କରିଥାନ୍ତି । ଏହି ଉପଲକ୍ଷେ ଆଜି ସହରକୁ ଆଲୋକମାଳା ରେ ସଜ୍ଜିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ସୁଦୃଶ୍ୟ ତୋରଣମାନ ନିର୍ମାଣ କରାଯାଇଥିଲା । ମୁସଲମାନ ସଂମ୍ପ୍ରଦାୟର ଆବାଳବୃଦ୍ଧବନିତା ନୂତନ ପୋଷାକ ପରିଧାନ କରିଥିଲେ ।
ଏହି ପର୍ବରେ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ଜିଲ୍ଲା ପରିଷଦ ସଭାପତି ଗିତା ସେଠୀ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ବିଜେଡି ଜିଲ୍ଲା ସଭାପତି ଧିରେନ କୁମାର ସାହୁ, ହିରଣ୍ୟ ପଣ୍ଡା,ସୌମେନ୍ଦ୍ର ପୃଷ୍ଟି, ଉମେଶ ନାୟକ, ସଲିମ ଖାନ, ପୂର୍ବତନ ପୌରାଧ୍ୟକ୍ଷା ରୋସ୍ନା ସାହୁ, ନଗର ବିଜେଡି ସଭାପତି ଯଯାତି ମହାନ୍ତି, ଆଇନଜୀବୀ ସଞ୍ଜୟ ଜେନା, ରାଜେଶ ପଣ୍ଡା, ରାଜେଶ ମହାନ୍ତି, ଶ୍ରମିକ ନେତା ମୁକ୍ତାର ଖାଁନ, ଅବଦୁଲ ସତ୍ତାର ପ୍ରମୁଖ ପ୍ରାର୍ଥନା ସ୍ଥଳକୁ ଯାଇ ମୁସଲମାନ୍ ଭାଇମାନଙ୍କୁ ଇଦ୍ ମୁବାରକ ଜଣାଇଥିଲେ ।











