ଲୋ ଭୋଲଟେଜ ପ୍ରତିବାଦରେ ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା



କେନ୍ଦ୍ରାପଡ଼ା, ୨ା୫: ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଲୋ ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ଗ୍ରାମପଞ୍ଚାୟତର ତଳପାଟଣା ଗ୍ରାମର ପ୍ରାୟ ୨ଶହ ଘର ଟିପିସିଓଡିଏଲ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଲୋ ଭୋଲଟେଜ ଏବଂ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କୁଶିଆପାଳ ପଞ୍ଚାୟତର ତଳପାଟଣା ଏବଂ ଖସାପଡିଆ ଦୁଇଟି ଗ୍ରାମର ପ୍ରାୟ ୩ଶହ ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ଏକଶହ କିଲୋୱାଟ୍‌ର ମାତ୍ର ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଥିବାରୁ ବିଗତ ୩ବର୍ଷ ଧରି ଉପଭୋକ୍ତାମାନେ ଲୋଭୋଲଟେଜ ସମସ୍ୟା ଭୋଗୁଥିବା ବେଳେ ଟିପିସିଓଡିଏଲ ପକ୍ଷରୁ ଏହାର ନିରାକରଣ କରାଯାଉନାହିଁ । ଉପଭୋକ୍ତା ମାନେ ଏସମ୍ପର୍କରେ ବାରମ୍ବାର ସଂପୃକ୍ତ ବିଭାଗର ୨ନମ୍ବର ସେକ୍ସନର କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ନିବେଦନ କରିଥିଲେ ସୁଧା ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଉପଭୋକ୍ତାମାନଙ୍କ ପକ୍ଷରୁ ପ୍ରମିଳା ବାଇ, କଲ୍ୟାଣୀ ନାଥ, ତରୁଲତା ରାଉତ, ସରିତା ବାଇ, ସରସ୍ୱତୀ ବାଇ, ଇତିଶ୍ରୀ ନାୟକ, ଉର୍ମିଳା ରାଉତ, ସୁଶିଳା ବାଇ, ମିନତୀ ରାଉତ, ସଂଯୁକ୍ତା ସେଠୀ, ଭାରତୀ ରାଉତ, ମଞ୍ଜୁଲତା ବାଇ ପ୍ରମୁଖ ଶତାଧିକ ମହିଳା କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଖରାରେ ସକାଳ ସାଢେ ୮ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବସିରହିଥିଲେ । କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କ ପକ୍ଷରୁ ଆସନ୍ତା ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶୃତି ମିଳିବାରୁ ଧାରଣାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇ ମହିଳାମାନେ ଧାରଣାସ୍ଥଳରୁ ଉଠିଯାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading