
କେନ୍ଦ୍ରାପଡା -୧୧ା୫: ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ୱ କାଳ କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଅବ୍ୟାହତ ରଖିଥିବା କେନ୍ଦ୍ରାପଡା ଜିଲ୍ଲା କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦକୁ ଆଜି ରାଜ୍ୟର ଶ୍ରେଷ୍ଠ ସଂଗଠନ ରୂପେ ସମ୍ବର୍ଦ୍ଧିତ କରାଯାଇଛି । ଯାଜପୁର ବ୍ୟାସନଗରର ଆମ ସାହିତ୍ୟ ପରିବାର ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ପ୍ରାୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଅନୁଷ୍ଠାନର ସଭାପତି ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ ଏବଂ ପ୍ରତିଷ୍ଠାତା ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କୁ ବରେଣ୍ୟ ଅତିଥି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା, ପ୍ରଫେସର ଡକ୍ଟର ପ୍ରେମାନନ୍ଦ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ପ୍ରବକ୍ତା ଶଶଧର ପଣ୍ଡା, ସଭାପତି ଡ. ଅଲେଖ ପ୍ରସାଦ ମହାରଣା ଏବଂ ସମ୍ପାଦକ ବ୍ୟଙ୍ଗକବି ସରୋଜ କୁମାର ଶତପଥୀ ପ୍ରମୁଖ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସାରସ୍ୱତ ସମାବେଶରେ ରାଜଶ୍ରୀର କାର୍ଯ୍ୟକାରୀ ସଦସ୍ୟ କବି ବସନ୍ତ କୁମାର ସାମଲଙ୍କ ସୃଷ୍ଟ “ ସଂସ୍କାର ବାର୍ତ୍ତାକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜଶ୍ରୀର ବରିଷ୍ଠ କବି ବେଣୁଧର ସୂତାର, କବି ପୁଷ୍ପଲତା ମିଶ୍ର, କବି ଡ. ଲକ୍ଷ୍ମୀକାନ୍ତ ଦାଶ, କବି ଦ୍ୱାରିକାନାଥ ଦାଶ, କବି ଉର୍ମିଳା ମିଶ୍ର, କବି ଶକୁନ୍ତଳା ପଣ୍ଡା, ସମାଜସେବୀ ପ୍ରଭାତ କୁମାର ନାୟକ, କବି ସଂଗ୍ରାମ ମହାରଣା ପ୍ରମୁଖ ରାଜଶ୍ରୀ ପରିବାରର କବି କଥାକାରମାନେ ଉପସ୍ଥିତ ଥିଲେ ।











