ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ ବୃହତ ରେକର୍ଡ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିକାଶ ଅସ୍ତ୍ରରେ ବିରୋଧୀଙ୍କୁ ଧରାଶାୟୀ କରିବାକୁ ବିଜେଡି କଳବଳ କୌଶଳ ଲଗାଇ ଦେଇଛି ।
ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଂଚଳ ଭାବେ ପରିଚିତ ଶାସନ, ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ପଂଚାୟତରେ ବିଜେଡି ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଶାଳ ରୋଡ଼ସୋ କରି ସମଗ୍ର ଅଂଚଳକୁ ପ୍ରକମ୍ପିତ କରିବା ସହିତ ଶଙ୍ଖମୟ କରି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ପଟ୍ଟାମୁଣ୍ଡାଇର ବିକାଶ ଶିଖର ଛୁଁଇ ଥିବାରୁ ବିଜେଡିକୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତି ବିଭିନ୍ନ ଗାଁ ଓ ସାହୀକୁ ଯାଇ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ବିଶାଳ ରୋଡ଼ସୋରେ ଧ୍ରୁବ ଓ ଅଂଶୁମାନଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାଶ,୧୭ନଂ ଜିଲ୍ଲା ପରିଷଦସଦସ୍ୟ ରଞ୍ଜନ ବିଶ୍ୱାଳ,୧୮ନଂ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମି ମଲିକ,ବରିଷ୍ଠ ନେତା କ୍ଷୀରୋଦ ସାମନ୍ତରାୟ ଶାସନ ସରପଂଚ ସଂଗ୍ରାମ ବାରିକ, ପୂର୍ବତନ ସରପଂଚ ଅଶୋକ ପରିଡା ଓ ପ୍ରଶାନ୍ତ ପରିଡା ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା ଓ ଶହ ଶହ ବିଜେଡି କର୍ମୀ ଶାସନ, ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ପଂଚାୟତର ବିଭିନ୍ନ ଗାଁ ଓ ସାହୀ ବସ୍ତିକୁ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପଟ୍ଟାମୁଣ୍ଡାଇ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଆଜି ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡ଼ସୋ ପରେ ରାଜନୈତିକ ବାତାବରଣ ସର ଗରମ ହୋଇପଡିଛି ।