
୨୦୨୪ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲଗାଇବା ସହ ଅନେକ କଟକଣା ଲଗାଇଛନ୍ତି । ଏଥିରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷ କରି ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଯେଭଳି ଅର୍ଥ କାରବାର ହୋଇ ନ ପାରିବ ସେଥପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍ ଅଧିକାରୀ ସମେତ ପୋଲିସ ସାରା ରାଜ୍ୟରେ ଯାଂଚ ପକ୍ରିୟା ଜାରିରଖିଛନ୍ତି । ମାତ୍ର ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଫ୍ଲାଇଂ ସ୍କ୍ୱାଡ୍ ସେଭଳି ଯାଂଚ ପ୍ରାୟତଃ ଦେଖିବାକୁ ମିଳୁନି । ଅଳଭା ଭାୟା ଗଣ୍ଡାକିଆ କେନାଲ ରୋଡ ରାସ୍ତାଟି ପଟ୍ଟାମୁଣ୍ଡାଇ- ରାଜନଗର-ମହାକାଳପଡା ଓ କେନ୍ଦ୍ରାପଡା ସହରକୁ ସଂଜୋଗ କରୁଥିବା ବେଳେ ପାରାଦ୍ୱୀପ-ଦଇତାରି ମୁଖ୍ୟ ରାଜପଥକୁ ଲାଗିଛି । ମାତ୍ର ଏହି ରାସ୍ତା ଦେଇ ଗାଡି ଚଳପ୍ରଚଳ କରୁଥିବା ବେଳେ ସେପରି ଯାଂଚ ହେଉନାହିଁ । ତେଣୁ ଯେଉଁ ପ୍ରାର୍ଥୀମାନେ ଟଙ୍କା ବଂଟାବଂଟି ପାଇଁ ଉଦ୍ୟମ କରୁଥିବେ ସେମାନେ ଫ୍ଲାଇଂ ସ୍କ୍ୱାଡର ଅବହେଳା ଦେଖି କାରବାର କରୁଥିବେ ବୋଲି ଜନ ସାଧାରଈଣଙ୍କ ମଧ୍ୟରେ ଚର୍ଚା ହେଉଛି । ନିର୍ବାଚନ କମିଶନ ପ୍ରତ୍ୟେକ ବିଧାୟକ ପ୍ରାର୍ଥୀ ସର୍ବାଧକ ୪୦ ଲକ୍ଷ ଓ ଏମ୍ପି ପ୍ରାର୍ଥୀ ୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରି ବେ ବୋଲି ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ ବାସ୍ତବତା ଏହା ଠାରୁ କାହିଁ କେତେ ଗୁଣରେ ଅଧିକ ଖର୍ଚ୍ଚ ହେବ ତାହା କଳ୍ପନା କରିହେବ ନାହିଁ । ଏପରିକି ବିଧାୟକ ପ୍ରାର୍ଥୀମାନେ ପ୍ରାୟତ ୨ ରୁ ୧୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବେ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ସେହିପରି ସୋସିଆଲ ମିଡିଆରେ ପ୍ରଚାର କଟକଣା ମଧ୍ୟ କିଛି କାମରେ ଲାଗୁନଥିବା ଜଣାଯାଏ । ଫେସବୁକ, ହ୍ୱାଟଆପ୍ସ, ଇନଷ୍ଟାଗ୍ରାମ ୍, ଟୁଇଟର ଆଦିରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ପ୍ରଚାର ଚଳାଇଛନ୍ତି । ସେହି ଗ୍ରୁପରେ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ପରସ୍ପରକୁ ଆକ୍ଷେପ କରି କଟୁ ସମାଲୋଚନା କରୁଛନ୍ତି । ଏମିତି ବ୍ୟବସ୍ଥାରେ ନିର୍ବାଚନ ଏବେ ପ୍ରଚାର ସର୍ବସ୍ୱ ଓ ବ୍ୟୟ ବହୁଳ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ମୂଳ ସମସ୍ୟା ସମାଧାନ କଥା କେହିଚିନ୍ତା କରୁନାହାନ୍ତି ।











