
କେନ୍ଦ୍ରାପଡ଼ା, ୩୧ା୫: ଗଣତନ୍ତ୍ର ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରପଡ଼ା ଜିଲ୍ଲାର ସମସ୍ତ ମତଦାତାଙ୍କୁ ସାଦର ନିମନ୍ତ୍ରଣ ଓ ନିବେଦନ ଜଣାଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଏଥିସହ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଲଢ଼ୁଥିବା ୧୦ଜଣ ସାଂସଦ ପ୍ରାର୍ଥୀ ଓ ୪୦ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ । ମତଦାତାଙ୍କ ପାଇଁ ସଜାଇ ହୋଇ ରହିଛି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ କ୍ଷେତ୍ରର ୧୪୪୫ଟି ମତଦାନ କେନ୍ଦ୍ର । ପାନୀୟ ଜଳ, ସୁଲଭ ଶୌଚାଳୟ, ବିଶ୍ରାୟ ସ୍ଥାନ, ଆଲୋକୀକରଣ ବ୍ୟବସ୍ଥା, ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ, ଓଆର୍ଏସ୍ ପ୍ୟାକେଟ୍, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି, ଦିବ୍ୟାଙ୍ଗ ଜନଙ୍କ ପାଇଁ ସକ୍ଷମ ବାହାନ ଆଦି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।
କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ୍ ରୁମ୍ରୁ ଇଭିଏମ୍ଗୁଡ଼ିକୁ ସଂଗ୍ରହ କରି ବୁଥ୍ ପରିଚାଳନା ଅଧିକାରୀମାନେ ଗତକାଲି ଗୁରୁବାର ୯୮-ଆଳି, ୯୯-ରାଜନଗର ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍କୁ ଯାତ୍ରା କରିଥିବା ବେଳେ ଶୁକ୍ରବାର ବାକି ଥିବା ଦୁଇ ନିର୍ବାଚନ ମଣ୍ଡଳୀ ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରର ସମସ୍ତ ବୁଥ୍କୁ ଯାତ୍ରା କରିଛନ୍ତି ।
ପ୍ରତ୍ୟେକ ପୋଲିଂ ପାର୍ଟିରେ ଅଛନ୍ତି ଜଣେ ପ୍ରିଜାଇଡିଙ୍ଗ୍ ଅଫିସର, ୫ଜଣ ପୋଲିଂ ଅଧିକାରୀ ଓ ଜଣେ ପୁଲିସ । ପାଟକୁରାରେ ୩୦୯ଟି ବୁଥ୍ ଥିବା ବେଳେ କେନ୍ଦ୍ରାପଡ଼ାରେ ରହିଛି ୨୪୬ଟି ବୁଥ୍ । ଏଥିସହ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ୍ ରୁମ୍ରୁ ସମସ୍ତ ବ୍ଲକ ମୁଖ୍ୟାଳୟକୁ ଇଭିଏମ୍ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନାନ୍ତର ହୋଇଛି । ଆସନ୍ତାକାଲି ଶନିବାର ଭୋଟ୍ଗ୍ରହଣ ସମୟରେ ଯଦି ଇଭିଏମ୍ ମେସିନ୍ରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ପ୍ରିଜାଇଡିଙ୍ଗ୍ ଅଫିସରଙ୍କ ସୂଚନାକ୍ରମେ ବ୍ଲକ୍ ମୁଖ୍ୟାଳୟରୁ ବୁଥ୍କୁ ଇଭିଏମ୍ ପ୍ରେରଣ କରାଯିବ ।
ଗତକାଲିଠାରୁ ଅର୍ଥାତ୍ ଗୁରୁବାର ସଂଧ୍ୟା ୬ଘଟିକାରୁ ଶନିବାର ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଡ୍ରାଏ ଡେ ଘୋଷଣା ହୋଇଥିବାରୁ ଜିଲ୍ଲାରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିଛି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ଜିଲ୍ଲାରେ ସିଏପିଏଫ୍ (ସେଂଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ) ୧୮ କମ୍ପାନୀ ଅର୍ଥାତ୍ ୫୪ ପ୍ଲାଟୁନ୍ ମୁତୟନ ହୋଇଛନ୍ତି ।

ରାଜ୍ୟ ଶସସ୍ତ୍ର ପୁଲିସ୍ ବାହିନୀର ୧୩ ପ୍ଲାଟୁନ୍ ଫୋର୍ସ ମତଦାତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବେ । ୧୪୪୫ଟି ବୁଥ୍ରେ ୧୪୪୫ଜଣ ପୁଲିସ୍ କର୍ମଚାରୀ ନିଜର କର୍ତବ୍ୟ ସମ୍ପାଦନ କରିବେ । ମତଦାନ ସମୟରେ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଅସାମାଜିକ ତତ୍ୱକୁ ପ୍ରତିହତ କରିବା ପାଇଁ ୧୦୮ଟି ଚାରିଚକିଆ ଯାନରେ ପୁଲିସ୍ ଅଧିକାରୀମାନେ ସମସ୍ତ ବୁଥ୍କୁ ପରିଦର୍ଶନ କରିବା ପାଇଁ ନିୟୋଜିତ ହୋଇଛନ୍ତି । ବାହାର ଜିଲ୍ଲାରୁ ଆସିଥିବା ୭୫୦ଜଣ କନେଷ୍ଟବଳ ଓ ହାବିଲଦାର ଏବଂ ୬୧୦ଜଣ ହୋମ୍ଗାର୍ଡ଼ ନିର୍ବାଚନରେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବେ । ୧୮୬ ଜଣ ପୁଲିସ୍ ଅଧିକାରୀ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ସକାଳ ୭ଘଟିକାରୁ ସଂନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ଶତପ୍ରତିଶତ ଭୋଟ୍ଦାନ କରି ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ନିବେଦନ କରିଛନ୍ତି ।
