ବିରାମ ଅଢ଼େଇ ଦଶନ୍ଧି ଯାତ୍ରାର : ନବୀନ ବାବୁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ


ଓଡ଼ିଶା ନୁହେଁ ତମାମ ଭାରତୀୟ ରାଜନୀତିର ଏକ ଅଦ୍ଭୂତ ବ୍ୟକ୍ତିତ୍ୱ ଭାବେ ପରିଗଣିତ ହୋଇଥିବା ନବୀନ ବାବୁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ । ମୋଦି ସୁନାମୀରେ ବ୍ରାଣ୍ଡ ନବୀନ ଧ୍ୱଂସବିଧ୍ୱଂସ । ଓଡ଼ିଶା ରାଜନୀତିରେ ଅଟଳ, ଅଚଳ, ଅପରାଜୟ, ଅପ୍ରତିଦ୍ୱନ୍ଦ୍ୱୀର ମହାନାୟକ ନବୀନ ପଟ୍ଟନାୟକଙ୍କୁ ଶକ୍ତଧକ୍କା ଲାଗିଛି । ୨୪ବର୍ଷର ନିରଙ୍କୁଶ ଯାତ୍ରାରେ ଯବନିକା ପଡ଼ିଛି ଆଉ ଭାରତର ଅନ୍ୟତମ ପ୍ରଭାବୀ ତଥା ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡ଼ି ବିପର୍ଯ୍ୟୟ ମାଡ଼ରେ ଏକ ପ୍ରକାର ମାଟି କାମୁଡ଼ିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଭୋଟ-୨୪ ନବୀନଙ୍କ ଏପରି ରାଜନୈତିକ ବିପର୍ଯ୍ୟୟ ଓ ଯେଉଁ ଅକଳ୍ପନୀୟ ଧରାଶାୟୀ ଅବସ୍ଥା କରିଛି ତାହାକୁ ନେଇ ସାରା ଦେଶ ରାଜନୀତି କ୍ଷେତ୍ର ଠାରୁ ଗଣମାଧ୍ୟମ ଏପରିକି ସାଧାରଣ ଲୋକମାନେ ମଧ୍ୟ ଚକିତ । ଆଉ ଦିନ କେଇଟା ପରେ ସେ ଇତିହାସ ରଚିଥାନ୍ତେ । ଦେଶର ସର୍ବାଧିକ ସମୟର ବିରଳ ରେକର୍ଡ଼ଧାରୀ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଇତିହାସ ମଧ୍ୟ ଲେଖିଥାନ୍ତେ । ମାତ୍ର ସମୟ ଓ ଭାଗ୍ୟର ବିଡ଼ମ୍ବନା ଯେ କିପରି ଇତିହାସ ତିଆରି କରିବା ବଦଳରେ ନିଜେ ଇତିହାସ ହିଁ ପାଲଟିଗଲେ । ମୋଦି ସୁନାମୀ ଏତେ ପ୍ରଖର, ତୀବ୍ର, ଶକ୍ତିଶାଳୀ ଓ ଜୋରଦାର ଥିଲା ଯେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିର ମେରିଖୁଣ୍ଟ କୁହାଯାଉଥିବା ଖୋଦ ନବୀନ ବାବୁ ବଲାଙ୍ଗୀରର କଣ୍ଟ ନିର୍ବାଚନ ଲଢ଼ି ସଫଳ ହୋଇ ଶାସନ ଭାର ଆରମ୍ଭ କରିଥିଲେ । ମହାବାତ୍ୟା ପରେ ଛାରଖାର ହୋଇଯାଇଥିବା ଓଡ଼ିଶାକୁ ପୁର୍ନଗଠନ ପାଇଁ ଓ ରାଜ୍ୟକୁ ବିକାଶ ତଥା ସ୍ୱାଭାବିକର ଟ୍ରାକକୁ ଫେରାଇବା ପାଇଁ ସେ ସକ୍ଷମ ହୋଇଥିଲେ । ଦୁଇପାଳି ବିଜେଡ଼ି ଓ ବିଜେପିର ମେଣ୍ଟ ସରକାର ଶାସନ କରିଥିଲା । ତେବେ ୨୦୦୯ରେ ନିର୍ବାଚନ ପୂର୍ବରୁ ନବୀନ ବାବୁ ବିଜେପିର ହାତ ଛାଡ଼ି ଦେଇଥିଲେ । ୨୦୧୪ରେ ୧୧୭ ଓ ୨୦୧୯ରେ ୧୧୩ ଆସନ ଜିତାପଟ କରି ରାଜନୀତିରେ ଯେ ସେ ଅପରାଜୟ ତାହା ଦେଖାଇ ଦେଇଥିଲେ ଆଉ ନୂଆ ରେକର୍ଡ଼ ମଧ୍ୟ ଯୋଡ଼ି ଥିଲେ । ୨୦୧୨ ଦିବଂଗତ ପ୍ୟାରୀ ବାବୁଙ୍କ ତଥାକଥିତ ମିଡ଼ନାଇଟ ଅପରେସନକୁ ମଧ୍ୟ ବିଫଳ କରାଇପାରିଥିଲେ । ନବୀନ ବାବୁଙ୍କ ପାଞ୍ଚ ଥାକିଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଭିତରେ ତାଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି । ଚିଟଫଣ୍ଡ ଝାମେଲା ଠାରୁ ଫାଇଲିନ, ହୁଡୁହୁଡୁ, ଫନି ଆଉ ମହାମାରୀ କୋଭିଡ଼ ସବୁ କିଛିକୁ ସଫଳ ମୁକାବିଲା କରି ବିଶ୍ୱସ୍ତରରେ ସାଉଁଣ୍ଟି ଥିଲେ ଢ଼େର ପ୍ରଶଂସା । ନୂଆ ଓଡ଼ିଶା ତିଆରି କରିବାର ସ୍ୱପ୍ନକୁ ସାକାର ରୂପ ଦେବା ପାଇଁ ଅଣ୍ଟାଭିଡ଼ି ନବୀନ ବାବୁ ପ୍ରତିଶ୍ରୁତି ନୁହେଁ ଗ୍ୟାରେଣ୍ଟିର ସ୍ଲୋଗାନକୁ କାର୍ଯ୍ୟକାରୀ କରିଥିଲେ । ତାଙ୍କ ଶେଷ ପାଳିର ସରକାରରେ ୫ଟି ଓ ମୋ ସରକାରକୁ ଗୁରୁତ୍ୱ ଦେଇ ଟଙ୍କିକିଆ ଚାଉଳ, ମମତା ଯୋଜନା, କାଳିଆ ଯୋଜନା, ବିଏସକେୱାଇ, ଲକ୍ଷ୍ମୀବସ, ମିଶନ ଶକ୍ତି, ନୂଆ ଓ ଅନେକ ଯୋଜନା ଜନସାଧାରଣଙ୍କୁ ପ୍ରଭାବିତ କରିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ସମଲେଇ ପ୍ରକଳ୍ପ ଆଉ ରାଜ୍ୟ ତମାମ ଅନେକ ମଠ ମନ୍ଦିର ତଥା ଧର୍ମପୀଠର ଏକ ପ୍ରକାର ରୂପାନ୍ତରୀକରଣ ଆରମ୍ଭ କରିଥିଲେ । ନବୀନ ବାବୁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତେବେ ସୋସିଆଲ ମିଡ଼ିଆ ଟ୍ରେଣ୍ଡରେ ରହିଛି “ଏଣ୍ଡ ଅଫ ଆନ ଏରା’ ଓ “ଯୁଗାବସାନ’ । ଅନେକ ଯୁବ ବର୍ଗ, ଶୁଭେଚ୍ଛୁ ଓ ନବୀନ ବାବୁଙ୍କୁ ଭଲ ପାଉଥିବା ଯେ କେହି ବି ନିଜ ଡିପି ଆଉ ହ୍ୱାଟସପ୍ ଷ୍ଟାଟସରେ ସ୍ଥାନିତ କରିଛନ୍ତି । ଆଉ କିଏ କିଏ ମଧ୍ୟ ଲେଖୁଛନ୍ତି ନବୀନ…. ନବୀନ…. ନବୀନ । ନବୀନ ବାବୁ ଆମେ ତମ ଫ୍ୟାନ । ସୋସିଆଲ ମିଡିଆ ପ୍ଲାଟଫର୍ମର ଯେଉଁ ସାଇଟକୁ ଗଲେ ମଧ୍ୟ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଚର୍ଚ୍ଚା, ସିଏମ ନଂ-୧ ଚର୍ଚ୍ଚା । ଫେସବୁକରୁ ୟୁଟୁବ, ଏକ୍ସର ଇନଷ୍ଟାଗ୍ରାମ ଆଉ ହ୍ୱାଟସପ ଷ୍ଟାଟସରେ ନବୀନ ବାବୁଙ୍କ କ୍ରେଜ କିଛି କମିନି । କିଏ ଫଟୋ, କିଏ ଭିଡ଼ିଓ, କିଏ ରିଲ୍ସ ସବୁ ଛାଡ଼ି ନବୀନଙ୍କ ଗୁଣଗାନ କରୁଛନ୍ତି । ରାଜନୀତିରୁ ତ ନୁହଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ନବୀନ ବାବୁଙ୍କୁ ନେଇ ସମସ୍ତେ ଯେଉଁପରି ପ୍ରତିକ୍ରିୟା ଦେଉଛନ୍ତି ତାହା ତାଙ୍କ ସଫଳ ଆଉ ଲୋକପ୍ରିୟତାର ବଡ଼ ପ୍ରମାଣ । ଦଳ ମାଟି କାମୁଡ଼ିଛି, ୨୫ ବର୍ଷର ଶାସନ ଗାଦିଚ୍ୟୁତ ହୋଇଛି । ସେ କ୍ଷମତାରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଶାସନକୁ ଓଡ଼ିଶାବାସୀ ମନେପକାଉଛନ୍ତି ଆଉ ଝୁରୁଛନ୍ତି । ନିରଳସ, ବେଶ ସାଧାସିଧା ଜୀବନଯାପନ ସହ ନିର୍ମଳ, ସରଳ ଭାବମୂର୍ତ୍ତି ଓ ମାପିଚୁପି କଥାବାର୍ତ୍ତା ପାଇଁ ନବୀନ ବାବୁ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ଓ ଭିନ୍ନ ପରିଚୟ ତିଆରି କରିଛନ୍ତି । କେବଳ ନିଜ ଦେଶର ନୁହେଁ, ବିଦେଶରେ ମଧ୍ୟ ନିଜ ବ୍ରାଣ୍ଡ ଭ୍ୟାଲୁ ପାଇଁ ସେ ପରିଚିତ । ବିଜେପି ଓ କଂଗ୍ରେସ ଠାରୁ ସମ ଦୂରତା ରାଜନୀତି କରି ଦିଲ୍ଲୀ ଦରବାର ପାଇଁ ତାଙ୍କର ବିନ୍ଦୁ ମାତ୍ର ଲୋଭ ନଥିଲା । ମୋଦି ଲହର ସବୁକିଛି ପୋଛି ନେଇଛି । କ୍ରମାଗତ ପାଞ୍ଚପାଳିର ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ମହାବିଜେତାଙ୍କ ସଫେଦ ଓ ଧୋବ ଫରଫର କୁର୍ତ୍ତାରେ ଲାଗିଛି ପରାଜୟର କଳାଦାଗ । ସରଳ ପଣିଆ ଆଉ ଧଳା କୁର୍ତ୍ତାର ବେଶପରିପାଟ୍ଟୀ ଭିତରେ ପାଇଜାମା ଓ କୋହ୍ଲାପୁରୀ ଚପଲରେ ସାଧାସିଧା ଅହଂକାରଶୂନ୍ୟ ଜୀବନ ଏବଂ ତମାମବିଶ୍ୱକୁ ପ୍ରଭାବିତ କଲାଭଳି ନେତୃତ୍ୱ, ଅବିଚଳିତ, ବିଚକ୍ଷଣ ନିଷ୍ପତ୍ତି, ସ୍ୱଚ୍ଛତା ପାଇଁ ସର୍ବଦା ସେ ପ୍ରେରଣାଦାୟୀ ହୋଇ ରହିବେ ।


Next Post

ନବୀନ ନିବାସରେ ଅରୁଣ ପଟ୍ଟନାୟକ , ଉତରାଧିକାରୀ ହେବେ ନା ଦେବାକୁ ଆସିଛନ୍ତି ସାନ୍ତ୍ୱନା

Sat Jun 8 , 2024
ଭୁବନେଶ୍ୱର,୭/୬: ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା […]

KANIKA