
ଓଡିଶାରେ ମୌସୁମୀ ପ୍ରବେଶ ସତ୍ୱେ ରାଜ୍ୟରେ ବର୍ଷା ନାହିଁ । ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି । ଆସନ୍ତା ଶୁକ୍ରବାର ରଜପର୍ବ ଆରମ୍ଭ ହୋବ । ମୌସୁମୀ ଆଗମନ ବିଳମ୍ବ ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସପାଲଟି ଅଂଚଳରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ । ଫଳରେ ମୁଖ୍ୟତଃ ଖରିଫ ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଅକ୍ଷୟ ତୃତୀୟାଠାରୁ ଅଖିମୁଠି ଅନୁକୂଳ ଓ ରଜପର୍ବ ବେଳକୁ ଧାନବୁଣା ଶେଷ ହେବା କଥା । ମାତ୍ର ଅଣସେଚିତ ଜମିରେ ଏବେସୁଦ୍ଧା ଧାନବୁଣା କି ତଳିପକା କାମ ହୋଇନାହିଁ । ଆଗାମୀ ଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ । ଏହାଛଡା ସମବାୟ ସମିତି ପକ୍ଷରୁ ଉତ୍ପାଦନକ୍ଷମ ଧାନ ବିହନ ଯୋଗାଣ ହୋଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
କୃଷକନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଂଚଳରେ ୧୦ ହଜାର ୪୦୦ ହେକ୍ଟର କ୍ଷେତରେ ଖରିଫ ଚାଷ ହେବ ବୋଲି କୃଷି ବିଭାଗ ପକ୍ଷରୁ ସ୍ଥିର ହୋଇଛି । ପାରମ୍ପରିକ ବିହନ ବାଦ ପ୍ରାୟ ୨ ହଜାର କୁଇଟାଂଲ ବିହନ ଆବଶ୍ୟକତା ଥିବାବେଳେ ମାତ୍ର ୮୦ କୁଇଟାଂଲ ବିଭିନ୍ନ ଡିଲର ମାଧ୍ୟମରେ ବିକ୍ରୟ ହେଉଛି । ସମବାୟ ସମିତି ଏପର୍ଯ୍ୟନ୍ତ ବିହନ ଉଠାଇ ନ ଥିବାରୁ ଚାଷୀ ଅଧିକ ଅମଳକ୍ଷମ କନକ ପ୍ଲସ, ଧଳା ସ୍ୱର୍ଣ୍ଣ, ଶାରଳା, ସାଧନା ଖୁସିଆନି ଆଦି ବିହନ ଚାଷୀଙ୍କ ନିକଟରେ ପହଁଚି ପାରିନାହିଁ । ସେହିପରି ଗତ ଅକ୍ଷୟ ତୃତୀୟା ପରେ ଚାଷୀ ବିଲରେ ହଳ ବେଉଷଣ ଆରମ୍ଭ କରି ରଜ ପୂର୍ବରୁ ତଳିଆ ପାଟ କ୍ଷେତରେ ପାରମ୍ପରିକ ବିହନ ବୁଣିଥିଲେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀ କ୍ଷେତରେ ଧାନ ବୁଣିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁ ଏହି ବିହନ ଗଜା ହେବା ସମ୍ଭାବନା କମିଛି ।
କୃଷକ ସୁରେନ୍ଦ୍ର ପରିଡା କହିଛନ୍ତି, ଚଳିତବର୍ଷ ରାଜ୍ୟକୁ ଠିକ୍ ସମୟରେ ମୌସୁମୀ ଆସିବା ଜାଣି ଚାଷୀକୁଳରେ ଆନନ୍ଦ ପ୍ରକାଶ ପାଇବା ସହିତ ଧାନତଳି ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ମାତ୍ର ଏବେ ବର୍ଷାର ଲୁଚକାଳି ଖେଳ ଯୋଗୁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି । ପୋଖରୀ, ଗଡ଼ିଆ ପାଖରେ ଥିବା ଜମିରେ ମୋଟର ଲଗାଇ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି । ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଂଚ ବଢ଼ି ଯାଇଥାଏ । ବୁଣାଧାନରେ ଏତେ ବେଳକୁ ଲଙ୍ଗଳମରା ଓ ପ୍ରଥମ ପିଡ଼ିଆ ମରାଯିବା କଥା । କିନ୍ତୁ ପାଣି ନ ଥିବାରୁ ତଳି ଅନେକ ସ୍ଥାନରେ ପାଚି ଯାଇଥିବା ଦେଖିବାକୁ ମିଳିଛି । ଶୁଖିଲା ଚାଷ ହୋଇଥିବା ଜମିରେ ପାଣି ଅଭାବରୁ ଘାସ ମାଡ଼ି ଯାଇଛି । ଆଗକୁ ଯଦି ଠିକ୍ ଭାବେ ବର୍ଷା ନ ହୁଏ, କିମ୍ବା କେନାଲରେ ପାନି ନଆସେ ତେବେ ଫସଲହାନି ହେବାର ଏକ ପ୍ରକାରର ସୁନିଶ୍ଚିତ ।
ଚାଷୀ ସୁଶାନ୍ତ ସାମଲ, ପ୍ରଭାକର ସେଠୀ, ରଞ୍ଜିତ ପ୍ରଧାନ, ପ୍ରଦୀପ ନାୟକ, ସନ୍ତୋଷ ଭଳ, ପାରେଶ୍ୱର ସେଠୀ, ଅଭୟ ବଳ, ସୁଧୀର ଦାସ, ଭିକାରୀ ବାଇ ପ୍ରମୁଖ ଦାବି ପୁର୍ବକ କୁହନ୍ତି ପଟ୍ଟାମୁଣ୍ଡାଇ କେନାଲ ଓ ଏହାର ଶାଖା କେନାଲରେ ପାଣି ଆସିବା ବିଳମ୍ବ ହେଉଛି । କେନାଲ ଅନେକ ସ୍ଥାନରେ ସେତୁ ଓ ଉଉନ୍ନତି ମୁଳକ କାର୍ଯ୍ୟ ହେଉଥିବାରୁ ପାଣି ଛଡାଯିବା ସ୍ୱପ୍ନ ପାଲଟିଛି । ଅନେକ ଶାଖା କେନାଲରେ ଗଛ, ଘାସ, ଲତା ଓ ଦଳରେ ପୋତି ହୋଇ ପଡ଼ିଛି । ଏହି ଅଂଚଳର କେତେକ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ରହିଛି । ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ଅନେକ ସ୍ଥାନରେ ଅଚଳ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସେଗୁଡିକୁ ସଚଳ କରିବା ପାଇଁ ତତ୍ପରତା ପ୍ରକାଶ କରୁନାହାନ୍ତି । ପର୍ଯ୍ୟାପ୍ତ ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ଅନେକ ସ୍ଥାନରେ ପାରମ୍ପରିକ ଧାନଚାଷ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।କୃଷି ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଅନେକ ସମୟରେ ସମନ୍ୱୟର ଅଭାବ ପରିଲକ୍ଷିତ ହେଉଥିବାରୁ ଚାଷୀମାନେ ଠିକ୍ ସମୟରେ ଆବଶ୍ୟକ କରୁଥିବା ବିହନ ଓ ରାସାୟନିକ ସାର ପାଇ ପାରୁନାହାନ୍ତି । କୃଷିର ବିକାଶ ଲାଗି ସରକାର ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି ।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକଙ୍କୁ ପଚାରିବାରେ ଚଳିତ ଋତୁରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି । ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବ । ୭୦୦ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ପାଣି ଯୋଗୁ ଚାଷ କାମରେ ବାଧା ଉପୁଜଛି ବୋଲି ସେ କହିଛନ୍ତି ।











