
କେନ୍ଦ୍ରାପଡା, ୧୬/୬: ଓଡିଶାର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ପବିତ୍ର ରଜ ଅବସରରେ କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ ଅନ୍ତଗର୍ତ ମୁଗୁରିଆ, ଉତରକୂଳ ଏବଂ ମେହେନ୍ଦିପୁର ଗ୍ରାମର ପୁଣ୍ୟୋତୟା ଶୁକ୍ପାଇକା ନଦୀ ପଠାରେ ଅବସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଟ୍ରଷ୍ଟ ଆନୁକୂଲ୍ୟରେ ମନ୍ଦିର ବେଢାରେ ଦୁଇଦିନ ଧରି ପ୍ରଥମ ରଜ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମବାଦୀ ସେତୁପୁରୁଷ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଏବଂ ତାଙ୍କର ଧର୍ମପତ୍ନୀ ଧର୍ମପ୍ରାଣା ଚପଳା ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ପ୍ରଥମେ ମଞ୍ଚ ପାଶ୍ୱର୍ରେ ସ୍ଥାପିତ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର କୃତି କଳାକାରମାନେ ଭଜନ ଗାନ କରିବା ସହିତ ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରଥମ ରଜରେ ଉଦ୍ଘାଟିତ ହୋଇ ରଜ ସଂକ୍ରାନ୍ତିରେ ଉଦ୍ଯାପିତ ହୋଇଥିଲା । ଦୁଇଦିନ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାବଗ୍ରାହୀ କଳା ନିକେତନ ତରଫରୁ କଣ୍ଠଶିଳ୍ପୀ ନିରୁପମା ଜେନା, ଉପେନ୍ଦ୍ର କୁମାର ପାଢୀ, ସୁଶିଲ୍ ସୂତାର, ସୌଭାଗିନୀ ମହାପାତ୍ର ଏବଂ ବିମଳ ପ୍ରସାଦ ପରିଡା ଭାବପୂର୍ଣ ଭଜନ ପରିବେଷଣ କରିଥିଲେ । ରଶ୍ମୀତା ସୂତାର, ଭାଗ୍ୟଲକ୍ଷ୍ମୀ ପରିଡା, ରାଜଲକ୍ଷ୍ମୀ ପରିଡା, ସମୀକ୍ଷା ମହାନ୍ତି, ସ୍ମୃତିରେଖା ବିଶ୍ୱାଳ, ଦୀପକ କୁମାର ଏବଂ ସାଥି କଳାକାରମାନେ ଓଡିଶୀ, ଭଜନ ଏବଂ ସମ୍ବଲପୁରୀ ଗୀତରେ ଅତି ଆକଷର୍ଣୀୟ ନୃତ୍ୟ ପ୍ରସ୍ତୁତ କରି ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲେ । ଉଭୟ ସନ୍ଧ୍ୟାରେ ଟ୍ରଷ୍ଟ ତରଫରୁ ସମସ୍ତ କଳାକାରମାନଙ୍କୁ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା କଳା ନିକେତନର ସଂପାଦକ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ମଞ୍ଚ ପରିଚାଳନା କରିବା ସହିତ ଅକ୍ଷୟ ମହାନ୍ତିଙ୍କ ଭଜନ ଗାଇ ସମସ୍ତଙ୍କୁ ବିମୋହିତ କରିଥିଲେ । ମନ୍ଦିର ତରଫରୁ ସମାଜସେବୀ କୈଳାସ ଚନ୍ଦ୍ର ଦାସ, ଅମୀୟ କିଶୋର ଦାସ, ଅକ୍ଷୟ କୁମାର ସାହୁ, କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ଭଜହରି ମହାନ୍ତି, ସୁକାନ୍ତ ସ୍ୱାଇଁ, ବରଦା ମିଶ୍ର, ପ୍ରକାଶ ପଣ୍ଡା, ବଟକୃଷ୍ଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥେôଲ । ଶେଷରେ ମନ୍ଦିର ପ୍ରତିଷ୍ଠାତା ପ୍ରଫୁଲ୍ଲ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ରଜ ମହୋତ୍ସବ ପ୍ରତିବର୍ଷ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି କହିଥିଲେ । ମୁଗୁରିଆ, ଉତରକୂଳ ଏବଂ ମେହେନ୍ଦିପୁରର ଅଧିବାସୀମାନେ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।










