ମଜୁରି ବୃଦ୍ଧି ଯୋଗୁ ଅଣନିଃଶ୍ୱାସୀ ଚାଷୀ


  • ଦେବାଳିଆ ମୌସୁମୀ ଧାନ ଚାଷକୁ ପ୍ରଭାବିତ ,
  • କିସମ ପରିବର୍ତନ ଯୋଗୁ ପଡିଆ ପଡୁଛି ଜମି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ । ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି । ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦେଉଛି । ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ ଆଉ ଦେଖା ଯାଉ ନଥିବା ବେଳେ ଚଳିତ ବର୍ଷ ଭାଜପା ସରକାର ପ୍ରଥମ କ୍ୟାବିନେଟ ବୈଠକ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)କୁ କ୍ୱିଇଂଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେବା ପରେ କୃଷକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ହେଲେ ଚଳିତବର୍ଷ ଦେବାଳିଆ ମୌସୁମୀ ବର୍ଷା ଅଭାବରୁ ଧାନ ବୁଣା କିମ୍ବା ତଳିପକା କାମ ହୋଇପାରୁନଥିବା ବେଳେ ମଜୁରି ବୃଦ୍ଧି ଯୋଗୁ ଚାଷୀମାନେ ବେଳକୁ ବେଳ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି ।

କୃଷକନେତା ରଞ୍ଜିତ ପ୍ରଧାନ କୁହନ୍ତି ଖରିଫ ଋତୁରେ ଭଲ ବର୍ଷା ହେବା ସହ କେନାଲରେ ପାଣି ଆସିଲେ ଚାଷୀମାନେ ଅକ୍ଷୟ ତୃତୀୟାଠାରୁ ଧାନ ବୁଣିବା ଓ ତଳି ପକାଇବା କାମ ଆରମ୍ଭ କରିଥାନ୍ତି । ମାତ୍ରଚଳିତ ଅଷାଢମାସରେ ଭଲ ବର୍ଷା ନ ହେବାରୁ ଧାନବୁଣା କି ତଳିପକା କାମ ଆରମ୍ଭ ହୋଇନାହିଁ । ଏଥିସହ କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସୁ ନ ଥିବାରୁ କେନାଲ ଉପରେ ନିର୍ଭରଶୀଳ ଚାଷଜମି ମଧ୍ୟ ସେପରି ପଡ଼ିଛି । ମୋଟାମୋଟି ଭାବେ ଦେବାଳିଆ ମୌସୁମୀ ଧାନ ଚାଷକୁ ବହୁଳ ଭାବେ ପ୍ରଭାବିତ କରିବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ।

କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୨୩ରେ ପାଖାପାଖି ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଚଳିତ ବର୍ଷ ୧୦,୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି । ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବ । ୭୦୦ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ପାଣି ଯୋଗୁ ଚାଷ କାମରେ ବାଧା ଉପୁଜଛି ବୋଲି ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କହିଛନ୍ତି ।

କୃଷକ ପ୍ରଦୀପ ନାୟକ, ସନ୍ତୋଷ ଭଳ, ପାରେଶ୍ୱର ସେଠୀ, ଅଭୟ ବଳ, ସୁଧୀର ଦାସ, ଭିକାରୀ ବାଇ ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ୱ ମୌଜାରେ ପ୍ରାୟତଃ ହଜାର ହଜାର ହେକ୍ଟର ଜମିରେ ଖରିଫ ଫସଲ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଦେବାଳିଆ ବର୍ଷା, କେନାଲରେ ପାଣି ନଆସିବା ଓ କିସମ ପରିବର୍ତନ ହେବା କାରଣରୁ ୧ ହଜାର ୬୦୦ ହେକ୍ଟର ଜମିରେ ଆଉ ଧାନ ଚାଷ ହେବ ନାହିଁ ବୋଲି ଆକଳନ କରାଯାଇଛି ।ଅଧିକାଂଶ ଗ୍ରାମରେ ଜଳସେଚନର ସୁବିଧା ହୋଇ ନ ଥିବାରୁ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡୁଛି । ଚଳିତ ବର୍ଷ ମୌସୁମୀଜନିତ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା । ଏହାକୁ ଦୃଷ୍ଟିରେ ରଖି ବହୁ ଚାଷୀ ଚାଷ ପାଇଁ ମନ ବଳାଇଥିଲେ । ହେଲେ ଜୁ୍‌ନ୍ ଶେଷ ହେବାକୁ ବସିଥିଲେ ମଧ୍ୟ ମୌସୁମି ବର୍ଷା ହୋଇ ପାରି ନାହିଁ । ସାଧାରଣତଃ ରଜପର୍ବ ପରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ । ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଅଧିକାଂଶ ଜମି ହଳ ହୋଇ ପଡିଛି । ଅପରପକ୍ଷେ କେତେକ ଚାଷୀ କାଳବୈଶାଖୀ ଜନିତ ବର୍ଷା ପରେ ଜମିରେ ଧାନ ବୁଣିଥିଲାବେଳେ ତାହା ଏବେ ବର୍ଷା ଅଭାବରୁ ଭୂଇଁରୁ ଉଠି ପାରୁନାହିଁ । ଯଦି ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହୁଏ ତେବେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ବର୍ତମାନ ଧାନ ବୁଣା ରୁଆ ସମୟ ହୋଇଥିଲେ ମଧ୍ୟ ମୌସୁମୀ ନ ଆସିବା ନେଇ ଖରିଫ ଫସଲ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଜୁନ୍ ମାସ ଆରମ୍ଭରୁ ଧାନ ଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇ ନାହିଁ । ଚଳିତ ମାସ ଆବଶ୍ୟକ ବର୍ଷା ନ ହେଲେ ବେଳକୁ ବେଳ ପରିସ୍ଥିତି ସଙ୍ଗିନ ହେବାକୁ ଯାଉଛି । ମଜୁରି ବୃଦ୍ଧି ଏବଂ କୃଷି ଶ୍ରମିକ ମିଳୁ ନ ଥିବାରୁ ଚାଷ ବେଳକୁ ବେଳ ମହଙ୍ଗା ହେବାରେ ଲାଗିଛି । ଫଳରେ ଅନେକ ଚାଷୀ ଅଳ୍ପ ବହୁତ ଜମି ନିଜଗୁଜରାଣ ପାଇଁ ଚାଷକରି ବାକି ପଡିଆଛାଡିଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୪-୧୫ରେ ଧାନ ଉତ୍ପାଦନ ପାଇଁ ଏକର ପିଛା ୩୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୨୩-୨୪ରେ ଏହା ୧୪ ହଜାର ଉପର ଟଙ୍କାକୁ ବୃଦ୍ଧି ପାଇଛି ।


Discover more from

Subscribe now to keep reading and get access to the full archive.

Continue reading