“କୃଷି ଓ କୃଷକର ବିକାଶ ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ: ମନ୍ତ୍ରୀ”


କେନ୍ଦ୍ରାପଡ଼ା, ୧୮ା୬: “ଅନ୍ନଦାତା ହିଁ ଏ ଜାତିର ମେରୁଦଣ୍ଡ । ସେମାନଙ୍କ ବିକାଶରେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରାଯାଇପାରିବ । ତେଣୁ ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ କ୍ରୟ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା”ର ୧୭ତମ କିସ୍ତି ବଂଟନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇ କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ସେମାନଙ୍କ ବିକାଶ ପାଇଁ ସେ କାର୍ଯ୍ୟ କରିବେ । ଚାଷ ଜମିରେ ଜଳସେଚନ ଓ ନୂତନ ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ସେ ପ୍ରାଥମିକତା ଦେବେ ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନରେ ଅନ୍ତର୍ଭୁକ୍ତ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଟଙ୍କା ପ୍ରେରଣ କରାଯାଇଛି । ଦେଶରେ ମୋଟ୍ ୯.୨୬ କୋଟି ଚାଷୀଙ୍କୁ ମୋଟ୍ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଯୋଜନାରେ ମୋଟ୍ ୧ ଲକ୍ଷ ୭୫ ହଜାର ୭୪୧ଜଣ ଚାଷୀ ନାମ ପଂଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଆଜି ୧ଲକ୍ଷ ୨ହଜାର ୮୯୮ଜଣ ଚାଷୀଙ୍କ ଖାତାକୁ ଟଙ୍କା ପ୍ରେରଣ କରାଯାଇଛି । ବଳକା ୭୨ ହଜାର ୮୪୩ ଜଣ ଚାଷୀଙ୍କ ଖାତାକୁ ବିଭିନ୍ନ କାରଣରୁ ଟଙ୍କା ପ୍ରେରଣ ହୋଇପାରି ନଥିବା ବେଳେ ଆଗାମୀ ଦିନରେ ସମସ୍ୟାର ସମାଧାନ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆର୍ଥିକ ସହାୟତା ସେମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ମନୋଜ କୁମାର ଚାନ୍ଦ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତି ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତି ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡକ୍ଟର ଅରବିନ୍ଦ ଦାସ, ନିମନ୍ତ୍ରିତ ଚାଷୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସହାୟତା କରିଥିଲେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଦେବବ୍ରତ ଡଲାର ଏବଂ ତାଙ୍କ ସହଯୋଗୀ ।


Discover more from

Subscribe now to keep reading and get access to the full archive.

Continue reading