
ପଟ୍ଟାମୁଣ୍ଡାଇ ୨୧/୬ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଶପଥ ଗ୍ରହଣ ପରେ ପରେ ଆକ୍ସନ ମୋଡ଼ରେ ଆସିଯାଇଛନ୍ତି । ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି । ଆଜି ବିଧାୟକ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟରେ ପହଂଚି ପୌରାଂଚଳର ବିଭିନ୍ନ ସମସ୍ୟା ସମାଧାନ ଓ ଅସମ୍ପୂର୍ଣ୍ଣ ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ପୌରାଧକ୍ଷ ହେମନ୍ତ ସାହୁଙ୍କ ଉପସ୍ଥିତିରେ ବିଧାୟକ ସରକାରୀ ଅନୁଦାନରେ ଟେଣ୍ଡର ସରିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି ଉପରେ ଟିକିନିଖି ଅନୁଧ୍ୟାନ କରି ବିଧିବଦ୍ଧ ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ବିଧାୟକ ଟେଣ୍ଡର ହୋଇଥିବା ସମସ୍ତ ପ୍ରକଳ୍ପ ସ୍ୱଛତାର ସହିତ ନିର୍ଧାରିତ ସମୟରେ ଶେଷ କରିବାକୁ କଡା ନିର୍ଦେଶ ଦେଇଥିଲେ । ଏଥିରେ କୌଣସି ତ୍ରୁଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଥିଲେ । ଏଥି ସହିତ ବିଧାୟକ ପାଣ୍ଠି, ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସ୍ଥିତି ସମୀକ୍ଷା କରି ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେ ଲୋକ ଘର ପାଇଛନ୍ତି ଓ କେତେ ବାକି ଅଛନ୍ତି ତାର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି କଡା ଚେତାବନୀ ଦେଇଥିଲେ । ବଂଚିତ ହିତାଧିକାରୀଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବାକୁ ନିର୍ଦେଶ ଦେଇଥିଲେ । ଜାଗା ମିଶନ ସ୍ଥିତି ସମୀକ୍ଷା କରି ଭୂମିହୀନ ଲୋକମାନଙ୍କୁ ତୁରନ୍ତ ସରକାରୀ ଜାଗା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । ମୁକ୍ତା ଯୋଜନାରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ମିଶନଶକ୍ତି ମା ମାନଙ୍କ ସହାୟତା ଯୋଜନାକୁ ଠିକଣା ଭାବେ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ସହରରେ ଉଠାଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ପାଇଁ ଭେଣ୍ଡିଂ ଜୋନ ଗୃହ ବଂଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କଡା ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରାଂଚଳର ଉଜ୍ୱଳ ଆଲୋକ, ଉନ୍ନତ ପରିମଳ ଓ ସ୍ୱଚ୍ଛ ପାନୀୟ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରାଂଚଳର ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନରେ ଖିଲାପ କରୁଥିବା କୌଣସି ଅଧିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ ସତର୍କ କରାଇ ଦେବା ସହିତ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସେ ଯେକୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ ବୋଲି ଅଧିକାରୀମାନଂକୁ ଚେତାବନୀ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ବିଭିନ୍ନ ୱାଡ କାଉନସିଲର ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ଇଂ ସୁଦାମ ସାହୁ, ପୌର ଉପନିର୍ବାହୀଯନ୍ତ୍ରୀ ସମୀର ଠାକୁର, କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା ପ୍ରମୁଖ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଯୋଗ ଦେଇଥିଲେ ।











