କେନ୍ଦ୍ରାପଡା, ୮ା୭: ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସଚେତନତା ଷ୍ଟଲ ଖୋଲାଯାଇଛି । ବିଶେଷ କରି ନୂତନ ଭିନ୍ନକ୍ଷମ ଅଧିକାର ଆଇନ,୨୦୧୬ରେ ଅନ୍ତର୍ଭୁକ୍ତ ଥିବା ନାନାଦି ସୁବିଧା, ସଂରକ୍ଷଣ, ପ୍ରାବଧାନ ଓ ସ୍ୱତନ୍ତ୍ର ଅଧିକାର ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏବଂ ନୂତନ ୨୧ପ୍ରକାରର ଭିନ୍ନକ୍ଷମତା ଓ ଏହାର ଲକ୍ଷଣ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏଠାରେ ପ୍ରଦାନ କରାଯାଉଛି । ଶ୍ରୀଗୁଣ୍ଡିଚା ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହିସବୁ ସୂଚନା ସମ୍ବିଳିତ ପୁସ୍ତିକା ଓ ଲିଫ୍ଲେଟ ପ୍ରଭୃତି ଉନ୍ମୋଚନ କରି ପୁନର୍ବାସର ଏହି ସଚେତନଧର୍ମୀ ପ୍ରୟାସ ଅତୀବ ପ୍ରଶଂସନୀୟ ବୋଲି ଉଲ୍ଲେଖ କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସହସମ୍ପାଦକ ବଂଶୀଧର ମହାନ୍ତି, କବି ନୃସିଂହ ତ୍ରିପାଠୀ, ଓସ୍ତପୁର ସମବାୟ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଜେନା, ରଞ୍ଜନ ସ୍ୱାଇଁ ଓ ମିହିର ରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।