ବିବାଦ ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ସମର୍ଥନ କଲେ ଶଙ୍କରାଚାର୍ଯ୍ୟ



ନୂଆଦିଲ୍ଲୀ ,୮ା୭: ଲୋକସଭାରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିଜେପି ହିନ୍ଦୁ ବିରୋଧ କହି ତାଙ୍କୁ ସମାଲୋଚନା କରିଛି । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ବାହାରିଛନ୍ତି ଜ୍ୟୋତିଷ ପୀଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ । ସେ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି । ଲୋକସଭାରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ବେଳେ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ବିଜେପି ଅଭିଯୋଗ କରିଥିଲା । ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆସନରୁ ଉଠି ଏହାର ଆପତ୍ତି କରିଥିଲେ । ରାହୁଲ ଗାନ୍ଧି ପୂରା ହିନ୍ଦୁ ସଂପ୍ରଦାୟକୁ ହିଂସ୍ର ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସଂସଦ ଭିତରେ ଓ ବାହାରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା । ତେବେ ହିନ୍ଦୁ ସମାଜର ଛବି ଭାବେ ଉଭା ହେଉଥିବା ଶଙ୍କରାଚାର୍ଯ୍ୟ ଅଲଗା ଦିଗରେ ଏହାକୁ ବିଚାର କରିଛନ୍ତି । ସେ କହିଛନ୍ତି, “ଆମେ ବେଶ ଯତ୍ନର ସହ ରାହୁଲ ଗାନ୍ଧିଙ୍କ ପୂରା ଭାଷଣକୁ ଶୁଣିଥିଲୁ । ସେ ସ୍ପଷ୍ଟ ଭାବେ ବେଶ ଜୋର ଦେଇ କହିଥିଲେ ଯେ ହିନ୍ଦୁ ଧର୍ମ ହିଂସା ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିଛି । ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନଥିବା ସେ ସ୍ପଷ୍ଟ ଭାବେ କହିଥିଲେ । ତଥାପି ତାଙ୍କ ବିରୋଧରେ ହିନ୍ଦୁ ଧର୍ମ ବିରୋଧରେ ମତ ରଖିଥିବା ଅଭିଯୋଗ ଆଣିବା ଠିକ ନୁହେଁ । ସୋଶାଲ ମିଡିଆରେ ତାଙ୍କ ବୟାନର ଭିଡିଓକୁ କାଣ୍ଟଛାଣ୍ଟ କରି ଭାଇରାଲ କରାଯାଉଛି । ନିର୍ଦ୍ଦିଷ୍ଟ ବୟାନ ଉପରେ ଫୋକସ କରାଯାଉଛି । ତଥ୍ୟକୁ ଯେଉଁମାନେ ବିଭ୍ରାନ୍ତ କରୁଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରାଯାଉ । ରାହୁଲ ଗାନ୍ଧିଙ୍କ ବୟାନର ଭାଷଣର ଛୋଟ ଛୋଟ ଅଂଶକୁ ଭାଇରାଲ କରାଯାଇ କେବଳ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଏପରି ଲୋକଙ୍କୁ ଦଣ୍ଡ ମିଳିବା ଦରକାର ।”


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ୧୧୧ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

Tue Jul 9 , 2024
ପଟ୍ଟାମୁଣ୍ଡାଇ ୯/୭ -ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ସହକାରୀ ଜିଲ୍ଲାପାଳ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ବିଜୁ ପଟନାୟକ ଛକ ଠାରେ ଗୁରୁତର ଟ୍ରାଫିକ […]

You May Like