ଚାଷଜମି ଜଳାର୍ଣ୍ଣବ, ବୁଲି ଦେଖିଲେ ଜିଲ୍ଲାପାଳ



କେନ୍ଦ୍ରାପଡ଼ା, ୭ା୮: ୫୩ନମ୍ବର ଜାତୀୟ ରାଜପଥର ଚାରିଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପରେ ଛଗରିଆ ନିକଟରେ ଚାଷଜମିରୁ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ଥିବା ପଥକୁ ବନ୍ଦ କରି ଦିଆଯାଇଥିବାରୁ ବର୍ଷା ଦିନେ ପ୍ରାୟ ୨ଶହ ହେକ୍ଟର ଚାଷଜମି ପାଣିରେ ବୁଡି ରହୁଥିବାରୁ ସେହି ଜମିର ଫସଲ ନଷ୍ଟ ହୋଇଯାଉଛି। ଫଳରେ ସେହି ଅଞ୍ଚଳର ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ କଳପଡା, ବଗଡା ପ୍ରଭୃତି ଅଞ୍ଚଳର ଚାଷୀମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଚାଷ ଜମି ସବୁ ପାଣିରେ ବୁଡି ରହିଥିବା ଦେଖିବାକୁ ପାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ ସେଠାରେ ଉପସ୍ଥିତ ଥିବା ଜାତୀୟ ରାଜପଥ ବିଭାଗର ଅଧିକାରୀ, ଡ୍ରେନେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ସିଦ୍ଧାର୍ଥଶେଖର, କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ ପ୍ରମୁଖଙ୍କ ସହ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିବା ପରେ ଚାଷ ଜମିରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଫଳରେ ସେଠାରୁ ଏସ୍କାଭେଟର ସାହାଯ୍ୟରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।


Next Post

ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ

Thu Aug 8 , 2024
କେନ୍ଦ୍ରାପଡ଼ା, ୭ା୮: କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟଅଧିକାରୀ ମୋନାଲିସା ପଣ୍ଡାଙ୍କୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ କୈାଣସି କାରଣ ନଥାଇ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ନୋଟିସର ନକଲ ଜିଲ୍ଲା ମତ୍ସ୍ୟ ବିଭାଗର ନିର୍ଦେଶକଙ୍କୁ ପଠାଇ ଦେଇଛନ୍ତି। ଯାହାଫଳରେ ତାଙ୍କ ଚାକିରୀରେ ଆଞ୍ଚ ଆସିଥିବା ଓ […]

KANIKA