ରାସ୍ତା ନିର୍ମାଣରେ ଅନିୟମିତତା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ କଲେ ଗ୍ରାମବାସୀ


କେନ୍ଦ୍ରାପଡା -ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏ ନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ଗଣ୍ଡକୁଳ-ସାତଭଉଣୀ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଚଂଚକତା କରାଯାଇଥିବା ନେଇ ସ୍ଥାନୀୟଲୋକ ଓ ପଂଚାୟତବାସୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲିଖିତ ଅଭିଯୋଗ କରି ଏହାର ତଦନ୍ତ ଦାବି କରିବା ସହିତ ନକଲ କେନ୍ଦ୍ରାପଡା ସାଂସଦ, ବିଭାଗୀୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ କେନ୍ଦ୍ରାପଡା, ଗ୍ରମଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଠାଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୁଳ ଅନାଦିଦାସ ଜମି ଠାରୁ ସାତଭଉଣୀ ସ୍କୁଲ ପର୍ଯ୍ୟନ୍ତ ନୂତନ ରାସ୍ତାର ନିର୍ମାଣ ନିମନ୍ତେ ୪ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଛି । ମାତ୍ର ସମ୍ପୃକ୍ତ ଠିକାଦାର ବ୍ୟୟ ଅଟକଳ ଅନୁଯାୟୀ ରାସ୍ତା ନିର୍ମାଣ କରୁନାହାନ୍ତି । ନିର୍ମାଣ କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି । ରାସ୍ତା ପାଶ୍ୱରୁ ମାଟି ଖୋଳି ପକାଉଛନ୍ତି । ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମ୍ପୃକ୍ତ ଠିକାଦାର ମନମୁଖିଭାବେ ଏହି କାର୍ଯ୍ୟ କରୁଥିଲାବେଳେ କୌଣସି ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ କରୁ ନ ଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଠିକାଦାର ରାସ୍ତା ମଝିରେ ନିର୍ମାଣ ସାମଗ୍ରୀ ବିକ୍ଷିପ୍ତଭାବେ ପକାଇଥିବାରୁ ସ୍ଥାନୀୟ ଅଂଚଳର ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ ଏହି ରାସ୍ତା ନିର୍ମାଣବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ସୂଚନା ଫଳକ ଲଗାଯାଇନାହିଁ । ରାସ୍ତା ପାର୍ଶ୍ୱରେ ଥିବା ଅନ୍ୟାନ ଉପକରଣ କାର୍ଯ୍ୟ ବିମ୍ ବା ଗାର୍ଡୱାଲ ନିର୍ମାଣ ଅତ୍ୟନ୍ତ ନିମ୍ନମାନର କରାଯାଉ ଥିବାରୁ ଧରୁଧରୁ ଭାଙ୍ଗି ଯାଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତାରେ ଉପରେ ସ୍ଥାନୀୟ ୧୫ ଟି ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣରେ ଗୁଣବତା କିପରି ଠିକ୍ ରହିବ,ତାହାକୁ ନିରୀକ୍ଷଣ କରିବା ପାଇଁ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଦାବି କରିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ହେଲେ କେହି କର୍ଣ୍ଣପାତ ନକରିବାରୁ ସ୍ଥାନୀୟ ଅଂଚଳର ମାନସ ମଲିକ, ଶରତ ସୁନ୍ଦରରାଏ, ପାଣ୍ଡବ ସେଠୀ, ଧନେଶ୍ୱର ନାୟକ, ଅଶୋକ ସେଠୀ, ପୁର୍ଣ୍ଣଚନ୍ଦ୍ର ବାରିକ, ମନୋଜ ନାୟକ ଅକ୍ଷୟ ଲେଙ୍କା ସମେତ ୮୦ରୁ ଅଧିକ ଗ୍ରାମବାସୀ ଓ ପୂର୍ବତନ ଲୋକପ୍ରତିନିଧିମାନେ ନିଜର ଦସ୍ତଖତ ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ମୁଖ୍ୟ ଓ ଅଧୀକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ରାଜ୍ୟ ମାନନିର୍ଦ୍ଧାରଣ ଅଧିକାରୀ, କେନ୍ଦ୍ରାପଡା ଜିଲାପାଳ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏସଡିଓ, ଜେଇଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ପଟ୍ଟାମୁଣ୍ଡାଇ ଆରଡି ଅଫିସର ଜଣେ କର୍ମଚାରୀଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ବନ୍ଦ ରହିଛି । ଠିକାଦାର ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନାରେ ଏହି ରାସ୍ତା ବିଷୟକୁ ନେଇ ଅଭିଯୋଗ କରିଛନ୍ତି । ସମସ୍ୟା ସମାଧାନ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମତବ୍ୟକ୍ତ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading