ଗୁରୁ ପୂର୍ଣ୍ଣିମାରେ ଧର୍ମଶାଳା ସରୋଜିନୀଙ୍କ ଜୟନ୍ତୀ ପାଳିତ



କେନ୍ଦ୍ରାପଡା, ୨୨ା୭: ଆଷାଢ ପୂର୍ଣିମାରେ କୃଷ୍ଣ-ଦ୍ୱେପାୟନ ଭଗବାନ ଶ୍ରୀବ୍ୟାସଦେବ ଜନ୍ମଲାଭ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ଅଭିହିତ କରାଯାଏ । ସର୍ବଭାରତୀୟ ସାଂସ୍କୃତିକ ପରମ୍ପରା ଅନୁସାରେ ଏହିଦିନ ବିଭିନ୍ନ ମଠ, ମନ୍ଦିର, ଗୁରୁଧାମ ଏବଂ ଆଧ୍ୟାତ୍ମିକ ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଗୁରୁପୂର୍ଣ୍ଣିମା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅସ୍ଥିତ ରେଡିଓ ଭାବଗ୍ରାହୀ ଏବଂ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳାନିକେତନର ମିଳିତ ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଏବଂ କବି ଭାବଗ୍ରାହୀ ପରିଡାଙ୍କ ଧର୍ମପତ୍ନୀ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ୯୦ତମ ଜୟନ୍ତୀ ଉତ୍ସବ ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସମ୍ପାଦକ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ପୌରୋହିତ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପାଣି, ମୁଖ୍ୟବକ୍ତା ଭାବରେ ସତୀର୍ଥର ସମ୍ପାଦକ କବି ମନ୍ମଥନାଥ ବରାଳ, ସମ୍ମାନୀତ ଅତିଥି ଭାବରେ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା, କବି ରାମକୃଷ୍ଣ ଦାଶ, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ୍ ପ୍ରମୁଖ ଯୋଗଦେଇ ଗୁରୁପୂର୍ଣ୍ଣିମା ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଆଦର୍ଶ ଜନନୀ ସରୋଜିନୀ ପରିଡାଙ୍କ ସମ୍ପର୍କିତ ସ୍ମୃତିଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୀତିକାର ତଥା ଗାୟକ ବିମଳ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହିତ ଜଗଦ୍‌ଗୁରୁ ଶ୍ରୀକୃଷ୍ଣ, ଶିବ ଶଙ୍କର, ବ୍ୟାସଦେବ, ଶିରିଡି ସାଇ ବାବା, ସ୍ୱାମୀ ବିବେକାନନ୍ଦ, ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ, ସ୍ୱାମୀ ଚିଦାନନ୍ଦ ଏବଂ ସ୍ୱାମୀ ଧ୍ୟାନାନନ୍ଦ ସରସ୍ୱତୀଙ୍କ ସମେତ ସଂଗୀତଜ୍ଞ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ୍ ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ ସରୋଜିନୀ ପରିଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଗୁରୁପୂର୍ଣ୍ଣିମାର ମାହାତ୍ମ୍ୟ ଏବଂ ସରୋଜିନୀ ପରିଡାଙ୍କ ବନ୍ଧୁ ବତ୍ସଳତା, ସନ୍ତାନ ପ୍ରୀତି ଏବଂ ଧର୍ମ ପରାୟଣତା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ରୂପାଲୀ ସୂତାର, ଅର୍ଚ୍ଚନା ପରିଡା, ରାଜଲକ୍ଷ୍ମୀ ପରିଡା, ଶ୍ରାବଣୀ ସେଠୀ, ପାୟଲ ତ୍ରିପାଠୀ, ଅଙ୍କିତା ପରିଡା ସ୍ୱାଗତ ସଂଗୀତ ଗାଇଥିଲେ । କଣ୍ଠଶିଳ୍ପୀ ମାଗୁଣୀ ସୂତାର ଏବଂ ସୁରେନ୍ଦ୍ର ରାଉତ ଗୁରୁ ବନ୍ଦନା ଗାଇଥିଲେ । ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଇଂ. ବିଶ୍ୱଜିତ ପରିଡା, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ହଳଧରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶ୍ରୀ ସଂଗୀତା ଜେନା, ଇଂ. ଦିବ୍ୟଜ୍ୟୋତି ପରିଡା, ଇଂ ଇତିଶ୍ରୀ ଖୁଣ୍ଟିଆ, ପ୍ରଭାତ ବେହେରା, କାଜଲ ପରିଡା, କାର୍ତ୍ତିକ ଖୁଣ୍ଟିଆ, ପ୍ରଭାତ ସାହୁ, ବିଶାଲ୍ ପରିଡା, ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ବିମଳ ପରିଡା ଭୀମଭୋଇଙ୍କ ରଚନାରୁ ଅକ୍ଷୟ ମହାନ୍ତିଙ୍କ ସମର୍ପି ଦେଲି ପାଇଲ ସର୍ବ, ବୁଝ ନ ବୁଝ ସ୍ୱାମୀ ଗୁରୁଦେବ, ଭଜନ ଗାଇ ବିଶ୍ୱର ସମସ୍ତ ସଦ୍‌ଗୁରୁମାନଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ଶେଷରେ ରୁରାଲ୍ ଡେଭ୍‌ଲପ୍‌ମେଣ୍ଟ କଲ୍‌ଚରାଲ୍ ୟୁଥ୍ ଅର୍ଗାନାଇଜେସନ୍‌ର ସମ୍ପାଦକ ଚିତ୍ତରଂଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading