ରେଡିଓ ଭାବଗ୍ରାହୀରେ ଜାତୀୟ ପ୍ରସାରଣ ଦିବସ



କେନ୍ଦ୍ରାପଡା ୨୩/୭- ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅ ସ୍ଥିତ ରେଡିଓ ଭାବଗ୍ରାହୀର ଷ୍ଟୁଡିଓ ସରୋଜିନୀ ପରିସରରେ ଜାତୀୟ ପ୍ରସାରଣ ଦିବସ ପାଳିତ ହୋଇଯାଇଛି । ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ରେଡିଓ ଭାବଗ୍ରାହୀର କେନ୍ଦ୍ର ନିର୍ଦ୍ଦେଶକ ଇଂ. ବିଶ୍ୱଜିତ ପରିଡା, କାର୍ଯ୍ୟକ୍ରମ ନିଷ୍ପାଦିକା ସୁଶ୍ରୀ ସଂଗୀତା ଜେନା, ସ୍ୱେଚ୍ଛାସେବୀ ବିଶାଲ୍ ପରିଡା, ବାଦ୍ୟକାର ଅଜୟ ଜେନା ଏବଂ ନୃତ୍ୟ ଶିଳ୍ପୀ ରାଜଲକ୍ଷ୍ମୀ ପରିଡା ଅଂଶ ଗ୍ରହଣ କରି ରେଡିଓ ଓ ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଆବଶ୍ୟକତା ଏବଂ ଉପାଦେୟତା ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ରେଡିଓର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ସ୍ୱାଗତ ଭାଷଣ ଦେଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ନିରୁପମା ଜେନା ପ୍ରସାରଣ ଦିବସ ଉପରେ ଆଧାରିତ ସ୍ୱାଗତ ସଂଗୀତ ଗାଇଥିଲେ । ସଂଯୋଜକ ବିମଳ ପରିଡା ଜାତୀୟ ପ୍ରସାରଣ ଦିବସ ପାଳନର ଇତିହାସ ସଂପର୍କରେ ଆଲୋଚନା କରି କହିଥିଲେ ଯେ ଭାରତରେ ପ୍ରଥମେ ୧୯୨୩ ମସିହା ଜୁନ୍ ମାସରେ ରେଡିଓ କ୍ଲବ୍ ଅଫ ବମ୍ବେ ଉଦ୍ୟମରେ ରେଡିଓ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହୋଇଥିଲା । ପରବର୍ତି ସମୟରେ ୧୯୨୭ ମସିହା ଜୁନ୍ ୨୩ ତାରିଖରେ ଇଣ୍ଡିଆନ୍ ବ୍ରଡ୍‌କାଷ୍ଟିଙ୍ଗ୍ କମ୍ପାନୀ ନାମରେ ପ୍ରଥମ ରେଡିଓ କମ୍ପାନୀ ସ୍ଥାପିତ ହୋଇ ବିଧିବଦ୍ଧ ଭାବରେ ପ୍ରସାରଣ ଆରମ୍ଭ ହୋଇଥିଲା । ମାନବ ସଭ୍ୟତାର ବିକାଶ ସହିତ ତାଳ ଦେଇ ରେଡିଓ ସବୁ ସମୟରେ ବହୁ ଜନ ହୀତାୟ, ବହୁ ଜନ ସୁଖାୟ ଉକ୍ତିକୁ ସାଫଲ୍ୟ ମଣ୍ଡିତ କରିଆସୁଛି, କରି ଆସୁଥିବ । ପ୍ରାକୃତିକ ଦୁର୍ବିପାକ ସମୟରେ ଦୁର୍ଗମ ଅଂଚଳରେ ଖବର ପହଂଚାଇବାରେ ଆଜି ବି ରେଡିଓର ବିକଳ୍ପ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ରୂପାଲି ସୂତାର, ଇଂ. ଦିବ୍ୟଜ୍ୟୋତି ପରିଡା, ଇଂ. ଇତିଶ୍ରୀ ଖୁଂଟିଆ, ଅଂକିତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ରେଡିଓ ଭାବଗ୍ରାହୀର ପ୍ରସାରଣ ସହାୟକ ପ୍ରଭାତ ପରିଡା ସହଯୋଗ କରିଥିଲେ । ଏହି ଅବସରରେ ସଂଗୀତଜ୍ଞ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ୍ ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ସଂଯୋଜକ ବିମଳ ପ୍ରସାଦ ପରିଡା ଏହି ଦିବସର ସଫଳତା କାମନା କରିବା ସହିତ ରେଡିଓ ଭାବଗ୍ରାହୀର ଅବଦାନ ବିଷୟରେ ସୂଚନା ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading