ରାସ୍ତା କାମରେ ଅନିୟମିତତା ଅଭିଯୋଗ : ନିର୍ମାଣର ୨ ମାସ ପୂରିନି ରାସ୍ତା ଫାଟି ଆଁ

ରାସ୍ତା କାମରେ ଅନିୟମିତତା ଅଭିଯୋଗ : ନିର୍ମାଣର ୨ ମାସ ପୂରିନି ରାସ୍ତା ଫାଟି ଆଁ


ପଟ୍ଟାମୁଣ୍ଡାଇ ୨୪/୭ ସରକାର ଗ୍ରାଂଚଳର ଲୋକଙ୍କ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ପଂଚାୟତ ସମିତି ଅଧିନରେ ବିପୁଳ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀ ଓ କୁଜିନେତାଙ୍କ ମନମୁଖୀ କାମ ଯୋଗୁ ଲୋକେ ଭଲ ରାସ୍ତାରେ ଯାତାୟତ କରିପାରୁ ନାହାନ୍ତି । ନିମ୍ନମାନର କାମ ବହୁ ପ୍ରତୀକ୍ଷିତ ରାସ୍ତା ନିର୍ମାଣର ଅଳ୍ପ କିଛି ଦିନ ପରେ ଭାଙ୍ଗି ଯାଉଛି । ଏହାର ଦୁଷ୍ଠାନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ତିଗିରିଆ ଗ୍ରାମରେ । ମାସେ ଦୁଇ ମାସେ ତଳେ ନିର୍ମାଣ ହୋଇଥିବା ଦୁଇଟି ରାସ୍ତା ଫାଟି ଭାଙ୍ଗିରୁଜି ଗଲାଣି ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।


ସୂଚନା ଅନୁଯାୟୀ, ବଡପଡା ପଂଚାୟତ ତିଗିରିଆ ଗ୍ରାମର କେତେକ ଯାଗାରେ ପକ୍କା ରାସ୍ତା ନ ଥିବାରୁ ଲୋକମାନଙ୍କ ଯାତାୟତରେ ବହୁ ଅସୁବିଧା ହେଉଥିଲା । ବର୍ଷା ଦିନେ ଯିବା ଆସିବା କରିବା, ଛାତ୍ରୀଛାତ୍ରମାନେ ସ୍କୁଲ କଲେଜ ଯିବା, ଆସିବା କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏଥିପାଇଁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବି ହୋଇ ଆସୁଥିଲା । ତେଣୁ ତିଗିରିଆ ଆରଡି ରାସ୍ତା ଠାରୁ ଇଲେକ୍ଟ୍ରି ସବ ଷ୍ଟେସନ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ସରକାରଙ୍କ ତରଫରୁ ୫ମ ଅର୍ଥ କମିସନ ଯୋଜନାରେ ୩ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା ବୋଲି ଗ୍ରାମର କେତେକ ବ୍ୟକ୍ତି କହିଥିଲେ । ଉକ୍ତ ରାସ୍ତା ନିର୍ମାଣର କାର୍ଯ୍ୟାଦେଶ ଯନ୍ତ୍ରୀଙ୍କ ନାମରେ ରହିଥିବା ବେଳେ ଠିକାଦାରଙ୍କୁ କାମ କରିବାର ଦାୟିତ୍ୱ ଦିଆଯାଇଥିଲା । ହେଲେ ନିର୍ମାଣସ୍ଥଳୀରେ ସୂଚନା ଫଳକ ନ ଲଗାଇ ଠିକାଦାର ନିମ୍ନମାନର କାମ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରୁଥିଲେ ମଧ୍ୟ ଠିକାଦାର ତାହାକୁ ଖାତିର କରି ନ ଥିଲେ । ତରବରିଆ ଭାବେ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା କାମ ସରିବାର ଦେଢ ମାସ ନ ପୂରୁଣୁ ବିଭିନ୍ନ ସ୍ଥାନ ଫାଟି ଆଁ କରିଛି ।

ସେହିପର ତିଗିରିଆ ଗ୍ରାମର ଉକ୍ତ ଠିକାଦାର ଅଧିନରେ ୫ ଲକ୍ଷ ବ୍ୟୟ ଅଟକଳରେ ନାଳରାସ୍ତା ଉନ୍ନତିକରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଅବଗତ କରିଥିଲେ । ମାତ୍ର ପଂଚାୟତ ସମିତି ପକ୍ଷରୁ ଏହାର ତଦାରଖ କରାଯାଇ ନଥିଲା । ଫଳରେ ନାଳବନ୍ଧ ରାସ୍ତାଟି ସମ୍ପୁର୍ଣ୍ଣ ଫାଟି ଯାଇଥିବା ବେଳେ ବିଭିନ୍ନ ଯାଗାରେ ଗୋଡି ଉଠି ଯାତାୟତରେ ଅସୁବିଧା ସମୁଖିନ ହେଉଛନ୍ତି । ଏନେଇ ସ୍ଥାନୀୟ ଗ୍ରାମବାସୀ ୨ଟି କାମରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ପଟ୍ଟାମୁଣ୍ଡାଇ ବିଡିଓ, କେନ୍ଦ୍ରାପଡା ଉପ ଜିଲାପାଳ ଓ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାପରେ ବି ଠିକାଦାର ବିଲ୍ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏପରିକି ରାଜନୈତିକ ଚାପ ପକାଉଥିବା କଥା ବ୍ଲକର କେତେଜଣ କର୍ମଚାରୀ କହିଛନ୍ତି । ରାସ୍ତା ଫାଟିବା ଓ ବିଲ ବାବଦରେ ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀଯନ୍ତ୍ରୀ ପ୍ରଶନ୍ନ ରାଉତଙ୍କୁ ପଚାରିବାରେ ରାସ୍ତା ଫାଟିବା ବାବଦରେ ମୁଁ ଅବଗତ ଅଛି । ସେହି ରାସ୍ତା କାର୍ଯ୍ୟର ଫାଇଲ ମୋ ପାଖରେ ଅଛି । ଯେତିକି କାମ ହବା କଥା ତାହାଠାରୁ ଅଧିକ କାମ ହୋଇଥବାରୁ ସେ ସବୁ ଖରାପ ହୋଇଛି ବୋଲି କହିଥିଲେ ।