ସରକାରୀ ଜାଗା ସହ ଡ୍ରେନ୍ ଜବରଦଖଲ


ପଟ୍ଟାମୁଣ୍ଡାଇ ୨୩/୭ – କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ପଟ୍ଟାମୁଣ୍ଡାଇ ସହର ପରିଚିତ ହୋଇଥିବା ବେଳେ ଦିର୍ଘ ୩୬ ବର୍ଷହେବ ବିଜ୍ଞାପିତ ଓ ପୌରପରିଷଦ ଅଂଚଳ ମନ୍ୟତା ମିଳିଛି । ଏଠାରେ ପ୍ରମୁଖ ସମସ୍ୟା ମଧ୍ୟରେ ଅନ୍ୟତମ ହେଉଛି ଡ୍ରେନ ଓ ରାସ୍ତା ସମସ୍ୟା । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ସମାଧାନ କରିବାକୁ ପ୍ରୟାସ କରାଯାଉଛି । ହେଲେ ତାହାର ସମାଧାନ ହୋଇପାରୁନଥିବା ବେଳେ ଚଳିତ ମୌସୁମୀ ବର୍ଷା ଆରମ୍ଭରୁ ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି ।
ଆଇନଜିବୀ ପ୍ରମୋଦ ସାହୁ କୁହନ୍ତି, ସରକାରୀ ଜାଗା ସହ ଡ୍ରେନ୍‌ର ବହୁ ଅଂଶ ଜବରଦଖଲ କରାଯାଇଥିବାରୁ ଏପରି ଅସୁବିଧା ଦେଖାଦେଇଛି । ଜବରଦଖଲକାରୀମାନେ ଡ୍ରେନ୍ ଉପରେ କେଉଁଠି ଘର ତ ଆଉ କେଉଁଠି ଦୋକାନ, ଶୌଚାଳୟ ନିର୍ମାଣ କରିଛନ୍ତି । ଫଳରେ ଆବର୍ଜନା ସହ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଓ ଘର ସମ୍ମୁଖରେ ଜମି ରହୁଥିବାରୁ ଜନଅସନ୍ତୋଷ ଦେଖାଦେଇଛି । ମୌସୁମୀ ବର୍ଷା ପରେ କେତେଜଣଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ତେବେ ବର୍ଷା ସହ ଅସନ୍ତୋଷ ବଢ଼ୁଥିବା ଦେଖି ଏବେ ପୌର ର୍କୃପକ୍ଷଙ୍କ ବୁଦ୍ଧି ପଶିଛି ।
ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ସହରରେ ନୂତନ ଡ୍ରେନ ନିର୍ମାଣ ଓ ମରାମତି ପାଇଁ ବ୍ୟୟ କରାଯାଉଛି । ଡ୍ରେନ ପାଣି କେତେବେଳେ ଘରେ ପଶୁଛି ତ ଆଉ କେତେବେଳେ ନର୍ଦ୍ଦମା ପାଣି ରୋଡରେ ଭାସୁଛି । ଆଉ ସାମାନ୍ୟ ବର୍ଷା ହୋଇଗଲେ ସହର ଜଳମଗ୍ନ ପରିସ୍ଥିତି ଉପୁଜୁଛି । ସେହିପରି ସହରର ରାସ୍ତା ନିର୍ମାଣ ହେଉଛି ଓ ମରାମତି ବି ହେଉଛି, କିନ୍ତୁ କୌଣସି ସମସ୍ୟାର ସମାଧାନ ଏଯାବତ୍ ହୋଇନାହିଁ । ଯାହା କେବଳ ସରକାରୀ ନଥିପତ୍ର ମଧ୍ୟରେ ସୀମିତ ହୋଇଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ସହରରେ ଲାଗିରହୁଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସହରର ଲୋକେ ସମାଲୋଚନା ମଧ୍ୟ କରିଛନ୍ତି ।
ଯୁବନେତା ମେରୁଲା ସେକ କୁହନ୍ତି କିଛି ଦିନ ହେବ ପଟ୍ଟାମୁଣ୍ଡାଇ ସହରରେ ଦୈନିକ ବର୍ଷା ହେଉଛି । ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ଜମି ରହୁଛି । ତଳିଆ ଅଂଚଳରେ ଥିବା ଲୋକଙ୍କ ଘରେ ପାଣି ପଶୁଛି । ଡ୍ରେନ୍ ଜବରଦଖଲ କାରଣରୁ ଏପରି ହେଉଥିବା ପୌର କର୍ତୃପକ୍ଷ ଜାଣିପାରିଛନ୍ତି । ମୁଖ୍ୟତଃ ପୋଖରିଆପଡା-ବସ୍ତି ରୋଡ୍ ଦେଇ ଯାଇଥିବାକେତେଜଣ ବ୍ୟବସାୟୀ ଡ୍ରେନ୍ ଉପରେ ଭଙ୍ଗାର ରଖିଥିବାରୁ ପୋତି ପାଣି ନିସ୍କାଷନ ହୋଇପାରୁନାହିଁ । ସେହିପରି ଏହି ବସ୍ତିର ବିଭିନ୍ନ ଗଳିରେ ଡ୍ରେନ୍ ଉପରେ ଘର ନିର୍ମାଣ ସହ ପାର୍କିଂ ସେଡ୍‌, ଶୌଚାଳୟ ନିର୍ମାଣ ହୋଇଛି । ଏପରି କି ଡ୍ରେନ୍ କେଉଁଠି ରହିଛି, ତାହା ଜାଣିବା ମୁସ୍‌କିଲ ହୋଇପଡ଼ୁଛି । ଆଗାମୀ ଦିନରେ ଲଗାଣ ବର୍ଷା ହେଲେ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ଜଟିଳ ହୋଇପଡ଼ିବ ବୋଲି କୁହାଯାଉଛି । ତେଣୁ ବେଳ ଥାଉ ଥାଉ ପ୍ରତିକାର କରିବାକୁ ବସ୍ତିବାସିନ୍ଦା ଦାବୀ କରିଛନ୍ତି ।
ବୁଦ୍ଧିଜିବୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି ସେହିପରି ବାଜାର ଭିତରେ ଯାଇଥିବା ଡ୍ରେନ ଉପରେ ଉଠା ଦୋକାନୀ ଆଡା ଜମାଇଥିବାରୁ ସେଠାରେ ଅନେକ ସ୍ଲାପ ଭାଙ୍ଗିରୁଜି ଯାଇଛି । ବାଜାର ଦୁଇ ପାର୍ଶ୍ୱରେ ତିଆରି କରାଯାଇଥିବା ଡ୍ରେନ୍‌କୁ ନିୟମିତ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ଡ୍ରେନର ମଇଳା ଆବର୍ଜନା ପାଣି ସହରର ରାସ୍ତାକୁ ଆସୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବାଜାରର ବହୁସ୍ଥାନରେ ଜବରଦଖଲ ଯୋଗୁଁ ପାଣି ନିସ୍କାଷନରେ ବାଧା ଉପୁଜୁଛି । ଏ ନେଇ ସ୍ଥାନୀୟବାସୀ ବାରମ୍ବାର ପୌର କର୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ।


Next Post

ଅଟୋ-ବାଇକ୍ ଧକ୍କା: ଜଣେ ମୃତ ଓ ଜଣେ ଗୁରୁତର

Thu Jul 25 , 2024
କେନ୍ଦ୍ରାପଡା ୨୪/୭- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଚାଂୟତ ଜରିମୂଳ ବଜାରରୁ ପଶ୍ଚିମଭେଡା ଗ୍ରାମର ସୁନାକର ମଳିକଙ୍କ ପୁଅ ସାଗର ମଳିକ(୨୨) ସେହି ଗ୍ରାମର ରଂଜନ ମଳିକଙ୍କ ପୁଅ ମନୋଜ ମଳିକ(୨୪) ଙ୍କୁ ସାଙ୍ଗରେ ନେଇ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ବାହାରଗଡ ଗ୍ରାମର ବାସୁଳାଇଙ୍କ ପୀଠ ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଏକ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଆରୋହୀ […]

KANIKA