ଭୁବନେଶ୍ୱର, ୨୯ା୭ ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର । ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର । ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର, କିନ୍ତୁ ବଜେଟରେ ୧୦ ହଜାର କୋଟି ଆଗତ କରାଯାଇଛି । ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ ଅପେକ୍ଷାରେ ଅଛନ୍ତି ବୋଲି ନବୀନ କହିଛନ୍ତି ।
ବଜେଟ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି-ନୂଆ ସରକାରକୁ ଧନ୍୍ୟବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି । ବଜେଟରେ ପରିବର୍ତ୍ତନ ଦେଖୁଛି । ଯେପରି ନାଁ ପରିବର୍ତନ । ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା । ବାକି ୨୦% ସରକାର ପ୍ରତିଶୃତି ଉପରେ କହୁଛନ୍ତି । ନୂଆ ସରକାର ସୁଭଦ୍ରା ଯୋଜନା ଜରିଆରେ ୦.୨୯% ଇସ୍ତାହାର ପ୍ରତିଶୃତି ଦେଇଛି । ୨ କୋଟିରୁ ଅଧିକ ମହିଳା ଅଛନ୍ତି । ପ୍ରତିଶୃତି ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର । ହେଲେ ୧୦ ହଜାର କୋଟି ବଜେଟରେ ଅଛି । ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ । ବାକି ମହିଳାଙ୍କ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ପେନସନ କଥା ବି ଉଠାଇଛନ୍ତି ବିରୋଧୀ ଦଳ ନେତା ।ସେ କହିଛନ୍ତି-ନୂଆ ସରକାରଙ୍କ ଯୋଜନା ଅନୁସାରେ ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ । ହେଲେ ୬୦ରୁ ୮୦ ବର୍ଷ ଲୋକଙ୍କ କଣ ହେବ । ଏଥିପାଇଁ ୨୧ ହଜାର କୋଟି ଦରକାର । ଧାନର ୩୧୦୦ ଟଙ୍କା କରିବାକୁ କହିଛନ୍ତି ସରକାର । ବଜେଟରେ ୩୦% ଚାଷୀ ବି ସୁବିଧା ପାଇବେନି । ବାକି ଚାଷୀଙ୍କ କଣ ହେବ । ମାଗଣା ବିଦ୍ୟୁତ କେମିତି ଦେବ । ଓଡ଼ିଶାର ୩ ଲକ୍ଷ ଘର ଏହି ଯୋଜନାରେ ଉପକୃତ ହେବେ । ରାଜ୍ୟରେ ୧ କୋଟି ଘର ଅଛି । ଏହା କଣ ମାଗଣା ବିଜୁଳି ପ୍ରତିଶୃତି କି ବୋଲି କଟାକ୍ଷ କରିଛନ୍ତି ନବୀନ । ତା ସହିତ ସେ ଚ୍ୟାଲେଞ୍ଜ ଦେଉଛନ୍ତି-ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ବି ମାଗଣା ବିଜୁଳି ଦେଇ ପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଜୁଳି ଅପେକ୍ଷାରେ ଅଛନ୍ତି । ରାଜ୍୍ୟ ସରକାରଙ୍କୁ ନିଶାନା କରି ନବୀନ କହିଛନ୍ତି-ଆପଣ ଲୋକଙ୍କୁ ଠକିଛନ୍ତି । ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ କହିଲ । ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ ଦରକାର । ଏହା ହୋଇ ପାରିବ ନାହିଁ । ନବୀନ ସିଧା ନିଶାନା କରି କହିଛନ୍ତି-ଆପଣଙ୍କ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ । ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ । ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି ।