ଓଡିଶା ଜୀବିକା ମିଶନରେ ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ସ୍ଥଗିତ



କେନ୍ଦ୍ରାପଡ଼ା, ୧ା୮: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ଧାରଣାକୁ ଆଜି ସ୍ଥଗିତ ରଖାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲାପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କ ସହ ଆଲୋଚନା କରିବା ସହିତ ଓସାର ଦାବି ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧାରଣାକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲିଖିତ ପ୍ରତିଶୃତି ପ୍ରଦାନ କରିବାରୁ ଗଣଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଆବାହକ ପ୍ରତାପ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳଙ୍କ ଆମନ୍ତ୍ରଣ କ୍ରମେ କାଲି ଧାରଣାକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କ ଅଫିସ ପ୍ରକୋଷ୍ଠକୁ ଯାଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସହ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଓ ଆଇନଜୀବୀ ପ୍ରଦୀପ ଦାଶ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ ଧାରଣା ଦ୍ୱାରା ଭୟଭୀତ ହୋଇ ଗତ ମଙ୍ଗଳବାର ଦିନ ବାରୋ ସ୍ଥିତ ମିଶନ ଶକ୍ତି ଭବନରେ ରାତି ଅଧରେ ପ୍ରିଣ୍ଟର ଏବଂ କାଗଜ ପତ୍ର ଧରି ଜାଲ ବିଲ ଭଉଚର ପ୍ରସ୍ତୁତ କରୁଥିବା ବେଳେ ଜନ ସାଧାରଣଙ୍କ ଠାରୁ ଖବର ପାଇ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଓ ନିକିରାଇ ଥାନା ଅଧିକାରୀ ମିଳିତ ଭାବେ ଚଢାଉ କରି ଜାଲ ବିଲ ସହ ସମସ୍ତ ସରଞ୍ଜାମ ଜବତ କରିଥିଲେ । ଏହା ଦର୍ଶାଉଛି ଯେ ଓସା ପକ୍ଷରୁ ଅଭିଯୋଗ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଏହି ଘଟଣା ପ୍ରମାଣ ନୁହେଁ ତ ଆଉ କଣ? ତଥାପି ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କୁ ବହିଷ୍କାର ନ କରି ତଦନ୍ତ ଆଳ ନେଇ ଦୁର୍ନୀତିକୁ ଘଣ୍ଟଘୋଡାଇବାକୁ ଚେଷ୍ଟା ଚଳାଇଛି । ଯଦି ଏକ ମାସ ମଧ୍ୟରେ ଓସାର ସମସ୍ତ ଦାବି ପୁରଣ ନହୁଏ ତେବେ କେନ୍ଦ୍ରାପଡା ଜିଲ୍ଲା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆସନ୍ତା ସେପ୍ଟେମ୍ବରମାସ ଏକ ତାରିଖ ଠାରୁ ପୁଣି ଧାରଣା ଦିଆଯିବ ବୋଲି ଓସାର ଆବାହକ ଶ୍ରୀ ମହାନ୍ତି କହିଛନ୍ତି । ଆଜିର ଧାରଣା କାର୍ଯ୍ୟକ୍ରମରେ ଆବାହକ ପ୍ରତାପ ମହାନ୍ତି, ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ମନୋରଞ୍ଜନ ଜେନା, ଅମରବର ବିଶ୍ୱାଳ, ଆଇନଜୀବୀ ପ୍ରଦୀପ କୁମାର ଦାଶ, ମାନସ ଆଚାର୍ଯ୍ୟ, ରମାକାନ୍ତ ମାହାଳୀ, ଜୟଦେବ ଜେନା, ନିରଞ୍ଜନ ପରିଡା, ନଗେନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ ।

[the_ad id=”11060″]


Next Post

ରାଜଶ୍ରୀର ମନୋଜ୍ଞ ଆକାଶୀୟ ଆଲୋଚନା ଚକ୍ର ଏବଂ ଇପତ୍ରିକା "ରାଜଶ୍ରୀ’ ଉନ୍ମୋଚିତ

Thu Aug 1 , 2024
କେନ୍ଦ୍ରାପଡା ୧/୮- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ବୁଧବାର ସଂଧ୍ୟା ଘ ୭.୩୦ ମିନିଟ ସମୟରେ ଆବାସୀ ବୈଠକ ଭର୍ତ୍ତୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଜୁଲାଇ ସଂଖ୍ୟା ରଥଯାତ୍ରା ବିଶେଷାଙ୍କ “ରାଜଶ୍ରୀ’ କୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ତଥା ପ୍ରବକ୍ତା ପ୍ରଫେସର ଡ ହରିହର କାନୁନଗୋ ଉନ୍ମୋଚନ […]